ପୁରୀ(ଏଟିଆର ବ୍ୟୁରୋ): ପ୍ରାୟ ଅଢେଇ ମାସ ପରେ ପୁରୀରେ ହୋଟେଲ ଖୋଲିବାକୁ ଯାଉଛି । ଆଜି ୨୫ ଟି ହୋଟେଲ ଖୋଲାଯିବ । ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ହୋଟେଲ ଖୋଲାଯିବ । ଏନେଇ ପୁରୀ ହୋଟେଲ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସଂଘ କହିବା ଅନୁସାରେ ମହାମାରୀ କରୋନା ପାଇଁ ବହୁ ଦିନ ହେବ ପୁରୀରେ ହୋଟେଲ ଶିଳ୍ପ ବନ୍ଦ ହୋଇ ରହିଥିଲା । ଫଳରେ ହୋଟେଲ ଶିଳ୍ପ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ସଂଘ ପକ୍ଷରୁ ହୋଟେଲ ଶିଳ୍ପର ପୁଣି ଥରେ ସ୍ୱାଭାବିକ ଭାବେ ଚାଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ ସରକାରଙ୍କୁ ଅନେକ ପ୍ରକାରର ଦାବି କରାଯାଇଛି ।
ହୋଟେଲ ସମୂହର ବିଜୁଳି ଖର୍ଚ୍ଚ, ବାର ଲାଇସେନ୍ସ ଫି, ବିନା ସୁଧ କିମ୍ବା କମ୍ ସୁଧରେ ବ୍ୟାଙ୍କ ଋଣ, ହୋଟେଲ ଲାଇସେନ୍ସ ଫି ଛାଡ଼ ଆଦି ବ୍ୟତୀତ ଏକକାଳୀନ ଆର୍ଥିକ ସହାୟତା ଘୋଷଣା କରିବାକୁ ରାଜ୍ୟର ହୋଟେଲ ସମୂହ କରିଥିବା ଦାବି ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେବେ ରାଜ୍ୟ ସରକାରଙ୍କ ଗାଇଡ ଲାଇନକୁ ମାନି ହୋଟେଲ ସେବା ଆରମ୍ଭ କରାଯାଇଛି । ଅନ୍ୟପଟେ ପୁରୀକୁ ଟ୍ରେନ ସେବା ବନ୍ଦ କରି ଦିଆଯାଇଛି । ସେହିପରି ବସ ଚଳାଚଳ ସହରକୁ ଠିକ ଭାବରେ ଆରମ୍ଭ ହୋଇ ନାହିଁ । ତେଣୁ ହୋଟେଲ ଆରମ୍ଭ ହେଲେ ମଧ୍ୟ ଏଠାରେ ପର୍ଯ୍ୟଟକ ହେବା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।