ବଲାଙ୍ଗୀର (ଏଟିଆର ବ୍ୟୁରୋ): ୩ଦଫା ଦାବି ପୂରଣ ନେଇ ପୁଣି ବଲାଙ୍ଗୀରରେ ବନ୍ଦ ପାଳନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠାରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି । ଦୀର୍ଘଦିନରୁ ପଶ୍ଚିମ ଓଡିଶା ତଥା ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଖାଲି ସେତି କି ନୁହେଁ ଲୋୟର ସୁକତେଲ ପ୍ରକଳ୍ପ କାମର ତ୍ୱରାନ୍ୱିତ ସହ ବିସ୍ଥାପିତଙ୍କ ଥଇଥାନ ଓ ବାଏପାସ ରାସ୍ତା ନିର୍ମାଣ ଦାବିରେ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଏହି ଦୁଇଦିନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ବ୍ୟାଙ୍କ , ପୋଷ୍ଟ ଅଫିସ ସବୁ ବନ୍ଦ କରିବ ବଲାଙ୍ଗୀର ଆକ୍ସନ କମିଟି ।
ଦୀର୍ଘ ଦିନ ଧରି ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ଏହି ଦାବି ନେଇ କୌଣସି ସୁଫଳ ମିଳିନାହିଁ । ତେଣୁ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତି ମାସର ତୃତୀୟ ବୁଧବାର ଓ ଗୁରୁବାର ବନ୍ଦ ପାଳନ କରିବ । ଏହି ସମୟରେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଆନ୍ଦୋଳନ କରିବା କ୍ରିୟାନୁଷ୍ଠାନ କମିଟି । ଏହାଛଡା ସ୍ଥାନୀୟ କଚେରି ଛକଠାରେ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯିବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ତିନି ଦଫା ଦାବିକୁ ନେଇ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବ । ଏହାସହ ବଲାଙ୍ଗୀର ଜିଲ୍ଲାରେ ଓକିଲ ସଂଘ, ନାଗରିକ ସଂଘ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରୀ ଜୋରଦାର ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।