ବାଲେଶ୍ୱର (ଏଟିଆର ବ୍ୟୁରୋ ) ; ମୃତ୍ୟୁ ଆସିଲେ କହିକି ଆସେନି । ପୋଖରୀରେ ବୁଡି ଚାଲିଗଲା ଦୁଇ ନାତୁଣୀଙ୍କ ସମେତ ଜେଜେମାର ଜୀବନ । ନାତୁଣୀକୁ ବଞ୍ଚାଇବାକୁ ଯାଇ ନିଜ ପ୍ରାଣକୁ ବାଜି ଲଗାଇ ଦେଲେ ଜେଜେମା । ଫଳରେ ଅକାରଣେ ଚାଲିଗଲା ୩ ଟି ଜୀବନ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ତିହିଡି ଥାନା ସାହାପୁର ନିକଟ ନୂଆଗାଁ ରେ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ମୃତ ନାବାଳିକା ଦୁଇଜଣ ସେହି ଗ୍ରାମର ଅଶୋକ ଦାସଙ୍କ ଝିଅ ଅଞ୍ଜନା ଓ ଶ୍ରୀଧର ମଳିକଙ୍କ ଝିଅ ଶ୍ରାବଣୀ ବୋଲି ଜଣାପଡିଛି । ସେହିପରି ମୃତ ବୃଦ୍ଧ ମହିଳାଙ୍କ ନାମ ମୁଳି ମଳିକ ।
ସୂଚନା ଅନୁସାରେ , ଆଜି ସକାଳେ ଦୁଇ ନାତୁଣୀଙ୍କ ସହ ମୁଳି ବିଲକୁ ଘାସ କାଟିବା ପାଇଁ ଯାଇଥିଲେ । ତେବେ ଘାସ କଟା ସରିବା ପରେ ତିନିଜଣ ଘରଆଭିମୁଖେ ଆସି ଗାଁ ପାଖ ପୋଖରୀରେ ଗୋଡ ହାତ ଧୋଇ ହେଉଥିଲେ । ତେବେ ଏହି ସମୟରେ ପୋଖରୀରେ ଦୁଇ ନାତୁଣୀଙ୍କ ଗୋଡ ଖସିଯାଇଥିଲା । ନାତୁଣୀଙ୍କ ଚିକ୍ରାର ଶୁଣି ମୁଳି ସେମାନଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ । ହେଲେ ସେ ମଧ୍ୟ ପୋଖରୀ ମଧ୍ୟରେ ବୁଡି ଯାଇଥିଲେ । ଫଳରେ ଦୁଇ ନାତୁଣୀଙ୍କ ସହ ଜେଜେମାଙ୍କର ବି ମୃତ୍ୟୁ ଘଟିଛି । ଅନ୍ୟପଟେ ଘଟଣା ସ୍ଥଳେ ତିହିଡି ଓ ପିରାହାଟ ପୋଲିସ ପହଞ୍ଚି ଧବ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ପୋଲିସ ଘଟଣାର ତଦନ୍ତ କରୁଛି ।