ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୧୯ ରେ ନିର୍ମିତ ହୋଇଥିବା ଫିଲ୍ମ ପାଇଁ ଆଜି ଘୋଷଣା କରାଯାଇଛି ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର । ୩ ଟି ଓଡିଆ ସିନେମା ରଜତ କମଳ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଭାବେ ଯୁଗ୍ମ ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି । ଡ.ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’।
ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଅଣ-ଫିଚର ବର୍ଗରେ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଓଡ଼ିଆ ପ୍ରାମାଣିକ ଛବି ‘ଶ୍ରୀକ୍ଷେତ୍ରରୁ ସାହିଯାତ’। ଏହାର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ପଟ୍ଟନାୟକ। ଏହି ଫିଲ୍ମକୁ ମିଳିବ ରଜତ କମଲ ପୁରସ୍କାର ସହ ନଗଦ ୫୦ ହଜାର ଟଙ୍କା ।
ସବ୍ୟସଚୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦ୍ଲା’ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଟ୍ରାଇଲୋଜି ଭାବେ ପ୍ରଦର୍ଶିତ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଆଦର୍ଶକୁ ନେଇ ଏହି ଚଳଚ୍ଚିତ୍ର ତିଆରି କରାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଏହି ଚଳଚ୍ଚିତ୍ରର ନାୟକ ହେଉଛନ୍ତି ୯୨ ବର୍ଷୀୟ ବୃଦ୍ଧ ଅଟଳ ବିହାରୀ ପଣ୍ଡା।
ଏହି ଚଳଚ୍ଚିତ୍ର ୨୦୨୦ ମସିହା ଅକ୍ଟୋବର ୧୯ରେ ମୁକ୍ତିଲାଭ କରିଥିଲା। ସବ୍ୟସାଚୀ ମହାପାତ୍ରଙ୍କର ଏହା ହେଉଛି ୩ୟ ଚଳଚ୍ଚିତ୍ର ଯାହାକି ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି।