ମାଲକାନଗିରି ( ଏଟିଆର ବ୍ୟୂରୋ): ପୁଣି କାଳ ହେଲା ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ୩୫ ଛାତ୍ରଛାତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଚିତ୍ରକୋଣ୍ଡା ଡାକ୍ତରଖାନାରେ । ସୂଚନା ଅନୁସାରେ ଗତକାଲି ମାଲକାନଗିରି ଟେମୋପୋରା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତିଦିନ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଭାତ ଡାଲି ଖାଇଥିଲେ । ପିଲାମାନେ ପ୍ରତିଦିନ ପରି ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ପାଠ ପଢି ସାରି ଅପରାହ୍ନରେ ବିଦ୍ୟାଳୟରୁ ଘରକୁ ଫେରିଥିଲେ ।
ମାତ୍ର ବିଦ୍ୟାଳୟରୁ ଘରକୁ ଫେରିବା ପରେ ହଠାତ କିଛି ଛାତ୍ର ଅସୁସ୍ଥ ହୋଇ ପଡିଥିଲେ । ଜଣଙ୍କ ପରେ ଜଣେ ୩୫ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ । ଗ୍ରାମବାସୀ ମାନେ ତୁରନ୍ତ ପିଲାମାନଙ୍କୁ ପାଖରେ ଥିବା ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ୩୨ ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣା ପଡିଛି ।
ତେବେ କେଉଁ କାରଣରୁ ଏମିତି ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ । ଏହି ଅଘଟଣାକୁ ନେଇ ଗ୍ରାମରେ ସମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । କେଉଁ କାରଣରୁ ଏମିତି ହୋଇଛି ସେ ନେଇ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଚିତ୍ରକୋଣ୍ଡା ତହସିଲଦାର ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଖାଦ୍ୟର ମାନ ପରଖିବା ପାଇଁ ସାଧାରଣରେ ଦାବି ହେଉଛି ।