ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ କୁ ୩୬ଘଣ୍ଟା ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରୁ ଅନ୍ୟମାନଙ୍କ ଅଜାଣତରେ ଏରେଣ୍ଡେଇ ଗ୍ରାମକୁ ଫେରିଥିବା ଜଣେ ପ୍ରବାସୀ ବହୁ ଲୋକଙ୍କ ସହ ମିଳାମିଶା କରିଥିବା ଖବର ମିଳିବା ପରେ ପିଇଓ ସୁଧାଂଶୁ ପାଇକିରାୟ ଓ ଗ୍ରାମରୋଜଗାର ସେବକ ତ୍ରିନାଥ ମହାନ୍ତ ଉକ୍ତ ପ୍ରବାସୀ ଯୁବକଙ୍କୁ ଠାବ କରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି । ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ମୋରମୋରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ନାୟକ ଗହୀର ମୋରମୋରୀ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ନିକଟରେ ଜଣେ ସୁରାଟ ଫେରନ୍ତା ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ଦିନ ରହି ଗତକାଲି ସନ୍ଧ୍ୟାରେ ନିଜ ଘରକୁ ଫେରିଥିଲେ । ସେହିଦିନ ୧୦ଟା ସମୟରେ ତାଙ୍କ ରିପୋର୍ଟ ପିଜିଟିଭ୍ ଆସିଥିଲା । ଫଳରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ଏହାକୁ ନଜରରେ ରଖି ଉକ୍ତ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । ଏହା ସହ ଗ୍ରାମକୁ ସାନିଟାଇଜ କରାଯାଉଛି ।