ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଥିବା ବେଳେ ମହିଳାଙ୍କୁ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତି ହୋଇ ଆତ୍ମସମ୍ମାନରେ ବଞ୍ଚି ପାରିବେ ସେଥିପାଇଁ ସେମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହାଛଡା ବିଭିନ୍ନ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆତ୍ମନିର୍ଭରଶୀଳ କରାଇବା ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି ।
ଗତକାଲି ଓଡିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ମହିଳାମାନେ କିପରି ସୁରକ୍ଷିତ ରହିବେ ଓ ସେମାନଙ୍କୁ କିପରି ତୁରନ୍ତ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥି ନିମନ୍ତେ ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୪୫ଟି ନୂତନ କୋର୍ଟ । ଏହି କୋର୍ଟ ଖୋଲିବା ଦ୍ୱାରା ମହିଳାମନେ ତୁରନ୍ତ ନ୍ୟାୟ ପାଇପାରିବେ । ଅନ୍ୟପଟେ ଖୋଲାଯିବାକୁ ଥିବା ନୂତନ କୋର୍ଟ ମଧ୍ୟରୁ ନାବାଳିକାଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡିକର ଶୀଘ୍ର ବିଚାର କରିବା ନିମନ୍ତେ ୨୪ଟି ପୋକସୋ କୋର୍ଟ ରହିଛି ବୋଲି ମନ୍ତ୍ରୀ କହିଥିଲେ । ରାଜ୍ୟରେ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମହିଳା ଓ ଶିଶୁ ବିଭାଗ ଏବଂ ମଶିନ ଶକ୍ତି ସବୁ ବେଳେ ଆନ୍ତରିକ ଉଦ୍ୟମ କରିଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷତା କରି ଆୟୋଗ ଅଧ୍ୟକ୍ଷା ଡ. ମିନତି ବେହେରା କହିଲେ, ମହିଳାଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତତ୍ପରତା ପ୍ରକାଶ କରିଆସିଛନ୍ତି। ଆୟୋଗ ଅଧୀନରେ ପଞ୍ଜୀକୃତ ୭୨୨୯୯ଟି ମାମଲା ମଧ୍ୟରୁ ୬୨୩୦୩ଟିର ସମାଧାନ ହୋଇଥିବାବେଳେ ୯୯୯୬ ମାମଲାର ଶୁଣାଣି ଚାଲୁ ରହିଛି।ନିର୍ୟାତିତା ମହିଳାଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ ‘ୱାନ୍ଷ୍ଟପ୍ ସେଣ୍ଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା ବୋଲି ଜାତୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ କହିଥିଲେ । ଅନ୍ୟପଟେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ ରାଜ୍ୟର ସମସ୍ତ ଜିଲାରେ କାର୍ୟ୍ୟକ୍ଷମ ହୋଇଥିବା ୱାନ୍ ଷ୍ଟପ୍ ସେଣ୍ଟରର ସୁପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହିଳା ଆୟୋଗର ମୁଖପତ୍ର ‘ହସ ଫୁଟିଲା ଓ ପରିବାର ତିଷ୍ଠିଲା’ ଉନ୍ମୋଚିତ ହୋଇଥିଲା।