ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ବିଲମ୍ବିତ ରାତିରେ କଟକ –ଭୁବନେଶ୍ୱରରେ ଦେଢ ଘଣ୍ଟା ଧରି ଝଡ ବର୍ଷା ହେବା ସହ ବହୁ ଜୋରରେ ବିଜୁଳି ମାରିଥିଲା । ଏହା ସହ ପବନ ଦେବାରୁ ଆଜି ସକାଳେ ବହୁ ଗଛ ଉପୁଡି ପଡିଥିବାର ଦେଖିବାକୁ ମିଳିଛି । ସେହିପରି ରାଜ୍ୟର ଅନ୍ୟ କିଛି ବଜ୍ରାଘାତରେ ୫ ଜଣଙ୍କର ଜୀବନ ଚାଲିଯାଇଥିବାର ଖବର ମିଳିଛି ।
ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ମୁଦ୍ରାଜୋର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ସୁନ୍ଦରଗଡରେ କାଳବୈଶାଖୀରେ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଛି। ରାଜଗାଙ୍ଗପୁର ଲମଲୋଇ ଗାଁର ଅମିଶା ସୁରିନଙ୍କ ଉପରେ ମାଟି କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ବାଲେଶ୍ଵର ଜିଲ୍ଲାରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଆପାଳ କେନ୍ଦୁଡିହା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ। ଅନ୍ୟପଟେ ଭୋଗରାଇ ବ୍ଲକ ବଡ଼ପକ୍ଷହି ଗାଁର ଅର୍ଣ୍ଣପୁର୍ଣ୍ଣା ରଣା ନାମକଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ସେହିପରି ବଜ୍ରାଘାତରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ପତଳା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗାଁର ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।