ଗଞ୍ଜାମ (ଏଟିଆର ବ୍ୟୁରୋ) : ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷପମାନ ଗ୍ରହଣ କରୁଛନ୍ତି । ଗୁଣନାତ୍ମକ ଶିକ୍ଷା ପ୍ରଦାନ କରି ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ନିଯୁକ୍ତି କରାଯାଉଥିବା ଶିକ୍ଷକଙ୍କୁ ଅନେକ ପରୀକ୍ଷା ଦେବାକୁ ପଡୁଛି ।ଏହି ସବୁ ପରୀକ୍ଷାରେ ଉତ୍ତିନ୍ନ ହେଉଥିବା ବ୍ୟକ୍ତି ମାନଙ୍କୁ ସରକାର ଶିକ୍ଷକ ରୂପେ ନିଯୁକ୍ତି କରିଥାନ୍ତି । ହେଲେ ଗତ କିଛି ଦିନ ହେବ ରାଜ୍ୟରେ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଜାଲି ସାର୍ଟିଫିକେଟ ଦେଇ ସରକାର ଧନ ବର୍ଷବର୍ଷ ଧରି ନେଉଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ପିଲାଙ୍କର ଭବିଷ୍ୟତ ନକଲି ଶିକ୍ଷକ ଗଢୁଥିବାର ଖବର ମଧ୍ୟ ବହୁବାର ପ୍ରକାଶ ପାଇଛି ।
କିଛି ଦିନ ପୂର୍ବେ ୧୬ଜଣ ନକଲି ଶିକ୍ଷକ ଧରାପଡିଥିବା ବେଳେ ତାଙ୍କ ନାଁ’ରେ ମଧ୍ୟ ଥାନାରେ ଏତଲା କରାଯାଇଥିଲା । ହେଲେ ଏବେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜିଲ୍ଲା ଗଞ୍ଜାମରୁ ୫ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଧରାପଡିଥିବା ୫ଜଣ ନକଲି ଶିକ୍ଷକ ନିଜର ନକଲି ସିଟି ସାର୍ଟିଫିକେଟ ଦେଇ ଚାକିରି କରି ଆସୁଥିଲେ । ତେବେ ସାର୍ଟିଫିକେଟ ଯାଞ୍ଚ ସମୟରେ ସେମାନେ ନକଲି ସାର୍ଟିଫିକେଟ ପ୍ରଦାନ କରିଥିବା ଜାଣିବାକୁ ମିଳିଥିଲା । ଧରାପଡିବା ପରେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ବିଡିଓକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ତେବେ ଧରାପଡିଥିବା ନକଲି ଶିକ୍ଷକମାନେ ହେଲେ ଶେରଗଡ ବ୍ଲକ ଅଞ୍ଚଳର ସଞ୍ଜୟ କୁମାର ଖଟୁଆ, ଭଗବାନ ମହାନ୍ତି ବେଗୁନିଆପଡା ବ୍ଲକ ଅଞ୍ଚଳର ସୁଜାତା ପଣ୍ଡା, ପରମାନନ୍ଦ ସାହୁ ଏବଂ କବିସୂର୍ଯ୍ୟନଗର ବ୍ଲକର ଭିକାରୀ ଚରଣ ସାହୁ ।