ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ଥିବା ୫ଟି ବିଶ୍ୱବିଦ୍ୟାଳୟର ନିମନ୍ତେ ରାଜ୍ୟ ସରକାର ୫ଜଣ ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି ଦେଇଛନ୍ତି । ନିଯୁକ୍ତ ହୋଇଥିବା ୫ଜଣ ରେଜିଷ୍ଟାର ହେଉଛନ୍ତି ଜଣେ ଜଣେ ଓଏଏସ ଅଧିକାରୀ । ଓଏଏସ ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଭୁବନେଶ୍ୱରରେ ଥିବା ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର ରେଜିଷ୍ଟାର ଭାବେ ନିଯୁକ୍ତ କରାଯାଇଛି । ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରହିବେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ର ।
ଅନ୍ୟପଟେ ସମ୍ବଲପୁରର ବିଶ୍ୱବିଦ୍ୟାଳୟ ନିମନ୍ତେ ନୂଆପଡାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୀତାରାମ ପଟେଲଙ୍କୁ ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି । ମୟୁରଭଞ୍ଜର ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଦେଵ ସମଧୀଆଙ୍କୁ ଦିଆଯାଇଛି । ବୋର୍ଡ ଅଫ ରେଭିନ୍ୟୁର ଯୁଗ୍ମ ସଚିବ ଥିବା ବ୍ରହ୍ମାନନ୍ଦ ବେହେରାଙ୍କୁ ବାଲେଶ୍ୱରରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱରେ ରହିବେ । ଆଜି ଏହି ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ।