ମୟୁରଭଞ୍ଜ ( ଏଟିଆର ବ୍ୟୂରୋ): ପୁଣି ଅନ୍ଧ ବିଶ୍ୱାସ, ଗୁଣି ଗାରେଡି ସନ୍ଦେହରେ ପରିବାରର ୫ ଜଣଙ୍କୁ ମାଡ । ଆଜିର ଏହି ଡିଜିଟାଲ ଯୁଗରେ ଏବେ ବି ମଣିଷଙ୍କ ମନରେ ବସା ବାନ୍ଧିଛି ଅନ୍ଧ ବିଶ୍ୱାସ ଭଳି ଦୂରାରୋଗ୍ୟ ବ୍ୟାଧି । ଯାହାର ଏକ ଠୋସ ପ୍ରମାଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ । ଗୁଣିଆ ସନ୍ଦେହରେ ଗୋଟେ ପରିବାରର ୫ ଜଣଙ୍କୁ ନିସ୍ତୁକ ପିଟିଛନ୍ତି ଗାଁ ଲୋକେ ।
ମୟୁରଭଞ୍ଜ କପ୍ତିପଦା ଭେଜିଡିହା ଗାଁର ଗୁରୁଭା ସିଂ ନାମକ ଜଣେ ବ୍ୟକ୍ତି ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ , ସଂପର୍କୀୟଙ୍କ ପଡ଼ୋଶୀ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଭଲ କରିବାକୁ ପୂଜା କରିଥିଲେ ଗୁରୁଭା ଯାହାକୁ ସହଜରେ ହଜମ କରି ପାରି ନଥିଲେ ଗ୍ରାମବାସୀ । ଗୁରୁଭା କୌଣସି ଗୁଣି ଗାରେଡି କରୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ ।
ଯେଉଁଥି ପାଇଁ ଏକଜୁଟ ହୋଇ ଗୁରୁଭା ଏବଂ ତାଙ୍କ ସମୁଦୁଣୀଙ୍କୁ ନିସ୍ତୁକ ପିଟିଥିଲେ । ପରିବାରର ଅନ୍ୟ ୩ ଜଣ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ ହୋଇଥିଲା । ଗୁରୁଭା ଏବଂ ତାଙ୍କ ସମୁଦୁଣୀ ଅଧିକ ଗୁରୁତର ହେବାରୁ ତାଙ୍କୁ ପାଖ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ଜୁଲାଇ ମାସରେ କେନ୍ଦୁଝରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ସେଣ୍ଡକାପ ଗ୍ରାମରେ ଛୋଟ ପିଲା ମାନଙ୍କୁ ଜ୍ୱର ଅଧିକ ଦିନ ଲାଗି ରହିବାରୁ ଜଣେ ବୟସ୍କ ଲୋକଙ୍କୁ ଗ୍ରାମବାସୀ ମାନେ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ଆସିଥିଲା ।