ପୁରୀ (ଏଟିଆର ବ୍ୟୁରୋ): ବୁଡିଯିବ କି ମହାପ୍ରଭୁଙ୍କର ୫୪୫କୋଟି ଟଙ୍କାର ପାଣ୍ଠି ! ଖାଲି ପଡିବ କି ଶ୍ରୀମନ୍ଦିର ପାଣ୍ଠି ! ଏହିଭଳି କିଛି କଳ୍ପନା ଜଳ୍ପନା ମଧ୍ୟରେ ଚିନ୍ତିତ ଜଗନ୍ନାଥପ୍ରେମୀ । ମହାପ୍ରଭୁଙ୍କର ୫୪୫କୋଟି ଟଙ୍କାର ଜମା ପାଣ୍ଠିକୁ ଘରୋଇ ୟେସ ବ୍ୟାଙ୍କରେ ରଖାଯାଇଛି । ତେବେ ୟେସ ବ୍ୟାଙ୍କର ସ୍ଥିତି ଏବେ ଦେବାଳିଆ ହୋଇଯାଇଥିବା ବେଳେ ଏତେ ପରିମାଣର ଅର୍ଥ କିପରି ବ୍ୟାଙ୍କ ପାଖରୁ ଅଣାଯିବ ତାହାକୁ ନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶରେ ଅନେକ ଜାତୀୟକରଣ ବ୍ୟାଙ୍କ ଥାଇ ମଧ୍ୟ କାହିଁକି ଏହି ସବୁ ବ୍ୟାଙ୍କକୁ ଅଣଦେଖା କରାଯାଇ ଏତେ ପରିମାଣର ଅର୍ଥରାଶି ଏକ ଘରୋଇ ବ୍ୟାଙ୍କରେ ରଖାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୟେସ ବ୍ୟାଙ୍କରେ ଜମା ରଖାଯାଇଥିବା ଅର୍ଥରେ ଶ୍ରୀମନ୍ଦିର ଚାଲିଥାଏ ।
ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମନ୍ତେ ଏହି ଜମା ଅର୍ଥ ରାଶିରୁ ଦରମା ପାଇଥାନ୍ତି । ଯଦି ଟଙ୍କା ବୁଡିଯାଏ ମନ୍ଦିରରେ ବଡଧରଣର ବିଭ୍ରାଟ ସୃଷ୍ଟି ହେବ । ତେବେ ଯଦି ଜମା ଅର୍ଥରାଶି ବୁଡିଯାଏ ତାହାଲେ ଏଥିପାଇଁ କିଏ ଦାୟୀ ରହିବ । ଯେଉଁମାନେ ଚଞ୍ଚକତା କରି ଏତେ ପରିମାଣର ଅର୍ଥରାଶିକୁ ଜାତୀୟକରଣ ବ୍ୟାଙ୍କରେ ନରଖି ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କୁ ସୃଷ୍ଟି ହୋଇଥିବା ସମସ୍ୟା ପାଇଁ ଟଣାଯାଉ ବୋଲି ସାଧାରଣରେ ଦାବି ହୋଉଛି । ଗତ ଫେବୃଆରି ୨୬ରେ ବସିଥିବା ବିଧାନସଭାରେ ଏହି ପ୍ରସଙ୍ଗ ଉଠିବାରୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ମାର୍ଚ୍ଚ ୧୯ରୁ ୩୦ ତାରିଖ ଭିତରେ ଏହି ଜମା ଅର୍ଥ ଉଠାଇ ଦିଆଯିବ ବୋଲି କହିଥିଲେ । କିନ୍ତୁ ଏବେ ୟେସ୍ ବ୍ୟାଙ୍କର ଯେଉଁ ସ୍ଥିତି ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ଜାତ ହୋଇଛି।
କାରଣ ଦେବାଳିଆ ସ୍ଥିତି ପରେ ୟେସ ବ୍ୟାଙ୍କ ଏବେ ଉଠାଣରେ ୩୦ ଦିନିଆ କଟକଣା ଲଗାଇଛି। ଜଣେ ଗ୍ରାହକ ଆସନ୍ତା ୩୦ ଦିନ ମଧ୍ୟରେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇ ପାରିବ ବୋଲି ନିୟମ ଲାଗୁ କରିଛି। ଅନ୍ୟପଟେ ଗତ ଫେବୃଆରୀ ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍ ବ୍ୟାଙ୍କକୁ ନେଇ ତୁମ୍ବିତୋଫାନ ହୋଇଥିଲା । ଜାତୀୟକରଣ ବ୍ୟାଙ୍କକୁ ଅଣଦେଖା କରି କାହିଁକି ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମା ରଖାଗଲା ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ପାଣ୍ଠି ଜମା ଆକାରରେ କେଉଁ ପରସ୍ଥିତିରେ ଦିଆଗଲା, ତାହାର ତଦନ୍ତ କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟମାନେ ଦାବି କରିଥିଲେ । ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ କାହିଁକି ନିଆଗଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ।