ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୬ଟି ଜିଲ୍ଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ । ଗତକାଲି ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇ କହିଛନ୍ତି ଯେ, ସମଗ୍ର ଦେଶର ୭୫ ପଛୁଆ ଜିଲ୍ଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ । ଆସନ୍ତା ୪ରୁ ୫ ମାସ ମଧ୍ୟରେ ୪୯ଟି ମେଡିକାଲ କଲେଜର କାର୍ଯ୍ୟ ଶେଷ ହୋଇଯିବ । ସେହିଭଳି ୫ରୁ ୬ବର୍ଷ ମଧ୍ୟରେ ଓଡିଶାରେ ୬ଟି ମେଡିକାଲ କଲେଜର କାମ ଶେଷ ହୋଇଯିବ । ଓଡିଶାରେ ଆଉ ଦୁଇଟି ମେଡିକାଲ କଲେଜ କରାଯିବ ପାଇଁ ଆବେଦନ କରାଯାଇଛି । ଆଗକୁ ସିଲେକ୍ସନ କମିଟି ଏହାର ନିଷ୍ପତି ନେବେ ବୋଲି ସେ କହିଛନ୍ତି । ଓଡ଼ିଶାର ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲା ମଧ୍ୟରୁ ୬ଟିରେ ମେଡିକାଲ କଲେଜ କରାଯିବ। ଏହି ଜିଲ୍ଲା ମାନଙ୍କ ମଧ୍ୟରୁ କେଉଁ ଜିଲ୍ଲାରେ ମେଡିକାଲ କଲେଜ ହେବ ତାହାକୁ ନେଇ ନିଷ୍ପତି ନିଆଯାଇ ନାହିଁ ।
ସେହି ପରି ଆୟୂଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ତେବେ ନିକଟରେ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପିଏସ୍ କିଷାନ ଯୋଜନା ସହ ମିଶି ଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ମିଶି ପାରେ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମତ ଉପରେ ପ୍ରତିକ୍ରିୟା ରଖି ବିଜେଡି ରାଜ୍ୟ ସଭା ଏମପି ଅମର ପଟ୍ଟନାୟକ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା । ଉଭୟ ଯୋଜନାର ମିଶ୍ରଣକୁ ନେଇ ଆଲୋଚନା ଚାଲିଛି । ଦୁଇଟି ଯାକ ଯୋଜନର ବ୍ୟବସ୍ଥା ଓ ଗାଇଡ ଲାଇନ ଭିନ୍ନ ରହିଛି ବୋଲି ସେ କହିଛନ୍ତି ।