ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବାତ୍ୟା ଅମ୍ଫାନ ପାଇଁ ମାଟ୍ରିକ ଖାତା ଦେଖା ତାରିଖ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ମେ ୨୦ ତାରିଖ ଦିନ ଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଥାନ୍ତା । ହେଲେ ବାତ୍ୟା ଅମ୍ଫାନକୁ ନଜରରେ ରଖି ଏହାକୁ ୨୧ ତାରିଖରୁ ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏହାକୁ ନେଇ ଆଜି ଲୋକ ସେବା ଭବନରେ ସକାଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ହୋଇଛି। ତେବେ ଚଳିତ ବର୍ଷ ସାଢେ ୫ଲକ୍ଷ ଛାତ୍ରାଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଫେବୃଆରୀ ମାସରେ ଗେଟିଏ ଦିନ ପାଇଁ ମାଟ୍ରିକ ଖାତା ଦେଖା ହୋଇଥିଲା । ଏହା ପରେ କରୋନା ମହାମାରୀ ପାଇଁ ଖାତା ଦେଖା ବନ୍ଦ କରି ଦିଆଯାଇଥିଲା ।
ଅନ୍ୟପଟେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ।ସେହିପରି ଯୁକ୍ତ୨ର ସରିଯାଇଥିବା ବିଷୟଗୁଡିକର ପରୀକ୍ଷାର ଉତ୍ତର ଖାତା ଦେଖା ଜୁନ ୧ରୁ ଆରମ୍ଭ ହେବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି ।