ଭଦ୍ରକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ୩ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଦ୍ୱାରା ଭଦ୍ରକ ଜିଲ୍ଲାର ୧୧ଟି ପଞ୍ଚାୟତର ୭୧ଟି ଗାଁକୁ ସିଲ୍ କରି ଦିଆଯାଇଛି । ୩ଟି ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବୋଲି ଜଣା ପଡିବା ପରେ ସେହି ବ୍ଲକର ତିନୋଟି ପଞ୍ଚାୟତକୁ ସିଲ୍ କରିଦିଆଯାଇଛି । ଏହି ତିନୋଟି ପଞ୍ଚାୟତରେ ୨୨ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗାଁର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବା ସହ ଲୋକ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଟୁଇଟ ଜରିଆରେ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ପୂର୍ବରୁ ପ୍ରଶାସନ ପକ୍ଷରୁ ୪୯ଟି ଗାଁକୁ ସିଲ୍ କରାଯାଇଥିଲା । ଏବେ ଜିଲ୍ଲାରେ ୧୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତେବେ ଏହି ୧୧ଟି ପଞ୍ଚାୟତରେ ମୋଟ ୭୧ଟି ଗାଁକୁ ସିଲ୍ କରିଦିଆଯାଇଛି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ୮୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।