ପାଟଣା(ଏଟିଆର ବ୍ୟୁରୋ): ପୁଣି ଜଣେ ସରପଞ୍ଚ ଜିଲ୍ଲାପାଳ କ୍ଷମତା ଦେଖାଇଛନ୍ତି । ନିଜ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଯମୁନାପଶି ପଞ୍ଚାୟତର ବିଶେଇପାଟ ଉଚ୍ଚ ବିଦ୍ୟାଳୟ କ୍ୱରାଣ୍ଟାଇନ ସେଣ୍ଟରରେ ଥିବା ଜଣେ ପ୍ରବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ଏହି ପଞ୍ଚାୟତ ଅଧିନରେ ଥିବା ଯମୁନାପଶି, କୋଡିପୋଖାରୀ, ପଦ୍ମପୁର, ବରୁଡିପଶି, ପଦ୍ମକେଶରପୁର ଓ କୋଡଖମଣ ଗ୍ରାମକୁ ସଟ୍ ଡାଉନ ଘୋଷଣା କରାଯାଇଛି । ସଟ୍ ଡାଉନ୍ ସମୟରେ ଏହି ଅଞ୍ଚଳରେ ଦେକାନ ବଜାର ବନ୍ଦ ରହିବା ସହ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି ଲଗାଯାଇଥିବା କଟକଣା ନିୟମକୁ ଭଙ୍ଗ କରେ ତେବେ ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତ ଗୁଡିକୁ ସଟ୍ ଡାଉନ୍ ଘୋଷଣା କରିଥିବାର ଦେଖିବାକୁ ମିଳିଛି ।