ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତିବର୍ଷ ବିଦ୍ୟାଳୟ ଗୁଡିକର ପାଠପଢା ଅଧା ହେବା ସତ୍ୱେ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ନଥିବାରୁ ପିଲାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଚଳିତ ବର୍ଷ ଏହିଭଳି କୌଣସି ଅସୁବିଧା ନହେବ ସେଥିପାଇଁ ରାଜ୍ୟ ସରକାର ଏହା ଉପରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସହ ଏହା ଉପରେ ନିଜର ତୀକ୍ଷ୍ନ ନଜର ରଖିଛନ୍ତି । ରାଜ୍ୟର ବିଭିନ୍ନ ବ୍ଲକ ଓ ପୌରଞ୍ଚଳକୁ ୯୯ ପ୍ରତିଶତ ପାଠ୍ୟପୁସ୍ତକ ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା ପକ୍ଷରୁ ବିତରଣ ହୋଇସାରିଛି ।
ଚଳିତ ବର୍ଷର ୨୦୨୦-୨୧ ଶିକ୍ଷାବର୍ଷର ମାର୍ଚ୍ଚ ୩୧ରୁ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆବଶ୍ୟକୀୟ ପାଠ୍ୟପୁସ୍ତକ ବିତରଣ କରିବା ଲକ୍ଷ୍ୟରେ ପାଠ୍ୟପୁସ୍ତକ ବିତରଣ କରିବା ଲକ୍ଷ୍ୟରେ ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରିୟ କାର୍ଯ୍ୟାଳୟ ପୁସ୍ତକ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଶିକ୍ଷାବର୍ଷ ପାଇଁ ପୁସ୍ତକ ବିତରଣ କାର୍ଯ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିଲେ । ସୂଚନାନୁଯାୟୀ, ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୨କୋଟି ୬୦ଲକ୍ଷ ପୁସ୍ତକ ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୫୩ଲକ୍ଷ ପାଠ୍ୟ ପୁସ୍ତକ ସବୁ ଜିଲ୍ଲାକୁ ବିତରଣ କରାଯାଇଛି । ରାଜ୍ୟ ବାହାରର ଓଡିଆ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ କିସ୍ତିରେ ଗୁଜୁରାଟର ସୁରଟକୁ ୩୫ ହଜାର ପୁସ୍ତକ ଯୋଗାଣ ପାଇଁ ସ୍ଥିର ହୋଇଛି।