ପୁରୀ (ଏଟିଆର ବ୍ୟୁରୋ): ଦୋଳ ପୂର୍ଣ୍ଣମାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଦୋଳପୂର୍ଣ୍ଣମାକୁ ଆଉ କିଛିଟା ଦିନ ବାକି ଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପାଇଁ ଆଜି ଛତିଶା ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଅପରାହ୍ନ ୧୨.୩୦ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ବୈଠକ ହେବ । ଏହି ବୈଠକରକୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରୁଥିବା ବେଳେ ଏହି ବୈଠକରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ, ଏସପି, ସେବାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯୋଗ ଦେବେ ।
ଦୋଳପୂର୍ଣ୍ଣମା ସମୟରେ ମଦନ ମୋହନ ଦୋଳ ବେଦୀଙ୍କୁ ବିଜେ କରିଥାନ୍ତି । ଏହି ମାସ ୮ ତାରିଖରେ ମେଣ୍ଡାପୋଡି ଓ ୯ରେ ଦୋଳପୂର୍ଣ୍ଣମା ପଡୁଥିବାରୁ ମହାପ୍ରଭୁ ଦୋଳ ବେଦୀ ବିଜେ କରିବେ । ତେଣୁ ଆଜିର ଏହି ବୈଠକରେ ନୀତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯିବ । ନୀତିକାନ୍ତି କିପରି ଭାବରେ ଶୃଙ୍ଖଳିତ ଉପାୟରେ ହେବ ସେନେଇ ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବେ। ତେବେ ସମସ୍ତ ଆଲୋଚନା ପରେ ନୀତି ନିର୍ଘଣ୍ଟର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।