ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ହେଲେ ସବୁ ଯୋଜନା ଫେଲ ମାରୁଥିବାର ଦେଖିବାକୁ ମିଳିଛି । ତେବେ ରାଜଧାନୀ ଭୁବନେଶ୍ୱର ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ମାରୁଥିବାର ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି । ଜଣେ ମହିଳାଙ୍କୁ ରାସ୍ତା ମଝିରେ ଗୋଇଠା, ବିଧା ମାରୁଛନ୍ତି କିଛି ଯୁବକ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରୁ ବୁଲିଛି । ଏହି ଭିଡିଓ ପୁରୁଣା ଭୁବନେଶ୍ୱରର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସବିତା ସେଠୀ ନାମକ ମହିଳା ଚାଲି ଚାଲି ଘରକୁ ଫେରୁଥିଲେ । ଏହି ସମୟରେ କିଛି ଯୁବକମାନଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଯୁବକ ମାନେ ସବିତାଙ୍କୁ ଧକ୍କା ମାରି ତଳେ ପକାଇ ମାଡ ମାରିବା ଆରମ୍ଭ କରିଥିଲେ ।
ଏନେଇ ଆଜି ସବିତା ଳିଙ୍ଗରାଜ ଥାନାରେ ମାମଲା ରୁଜୁ କରିଛନ୍ତି । ସବିତାଙ୍କ ଅଭିଯୋଗ ଅନୁସାରେ ଜମିବାଡି ବିବାଦକୁ ନେଇ ତାଙ୍କୁ ମାଡ ମରାଯାଇଛି । ଯୁବକ ମାନେ ସବିତାଙ୍କ ପୈତୃକ ସମ୍ପତି ଉପରେ କ୍ଲବ ଘର ତିଆରି କରିବାକୁ ଚାହୁଁଥିଲେ । ପୂର୍ବରୁ ଯୁବକମାନଙ୍କ ସହ ମତଭେଦ ରହିଛି ବୋଲି ସବିତା ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଯୁବକ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ କରୁଛି ।