ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶେଷରେ ପୁଣି ଥରେ କ୍ଷମା ମାଗିଲେ ଅଭିଜିତ । ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇ ନିଜ ଭୁଲ ସ୍ୱିକାର କରିଛନ୍ତି ଅଭିଜିତ ଆୟର ମିତ୍ର । ଓଡିଶା ତଥା ଓଡିଶାର ସଂସ୍କୃତି , ଐତିହ୍ୟ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଅଭିଜିତ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ଆଗରେ କ୍ଷମା ମାଗିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ପଚରାଉଚରାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କୁ ପୁଣି ଦ୍ୱିତୀୟ ପର୍ଯ୍ୟୟରେ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡିଛି ।
ସୂଚନା ଯୋଗ୍ୟ , ଅଭିଜିତ ଓଡିଶା ଓ ପୁରୀ ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିର ସମ୍ପର୍କରେ ଅରୂଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଜ୍ୟବ୍ୟାପି ଅଭିଜିତଙ୍କୁ ସମାଲୋଚନା କରାଯାଇଥିଲା । ତାଙ୍କ ନାମ ରେ କୋଣାର୍କ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ପରେ ଦିଲ୍ଲୀରେ ତାଙ୍କୁ ଗିରଫ କରାଯାଇଥିଲେ ହେଁ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ଏହାପରେ ସେ ଏହି ଘଟଣାକୁ ନେଇ କ୍ଷମା ମାଗିଥିଲେ ।
ତାଙ୍କ ମନ୍ତବ୍ୟର କୌଣସି ମନ୍ଦ ଉେଦ୍ଦେଶ୍ୟ ନଥିଲା ଓ ଏହି ମନ୍ତବ୍ୟ ପାଇଁ ସେ ଦୁଃଖୀତ ବୋଲି ଅଭିଜିତ କହିଥିଲେ । ଏହାପରେ ବି ବିଧାନସଭା ଗୃହ କମିଟି ତାଙ୍କୁ ବ୍ୟକ୍ତିଗତ ଭାବେ ବିଧାନସଭାରେ ହାଜର ହେବାଲାଗି ନୋଟିସ ଜାରି କରିଥିଲା । ଯାହା ଫଳରେ ସେ ଅଜି ବିଧାନସଭାରେ ହାଜର ହୋଇ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ।