ରାଉରକେଲା (ଏଟିଆର ବ୍ୟୁରୋ): କୁହାଯାଏ ସତରେ ପ୍ରେମ ବନ୍ଧବାଡ କିଛି ମାନେ ନାହିଁ । ତେବେ ସେମିତି ଏକ ଚୋରା ପୀରତୀର କରୁଣ ଦୃଶ୍ୟ ଏବେ ରାଉରକେଲାରେ ଦେଖିବାକୁ ମିଳିଛି । ସ୍ତ୍ରୀର ପଡୋଶୀ ଯୁବକଙ୍କ ସହିତ ପ୍ରେମ ସମ୍ପର୍କକୁ ସ୍ୱାମୀ ବିରୋଧ କରିବା ପରେ ସ୍ତ୍ରୀ ନମାନି ମିଳାମିଶା କରିବାରୁ ସ୍ତ୍ରୀର ପ୍ରେମିକର ପରିବାର ଉପରକୁ ଏସିଡ ମାଡ କଲେ ସ୍ୱାମୀ । ସୂଚନା ଅନୁସାରେ ବନ୍ଧମୁଣ୍ଡା ଅଞ୍ଚଳ ସେକ୍ଟର ଏ ଅଞ୍ଚଳରେ ରହୁଥିବା ସନ୍ତୋଷ ସୋନିଙ୍କ ସ୍ତ୍ରୀ ସହିତ ଉକ୍ତ ଅଞ୍ଚଳର ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ରହିଥିଲା ।
ଏନେଇ ସେ ଉଭୟଙ୍କୁ ତାଗିଦ କରିଥିଲେ । ମାତ୍ର ଏହାକୁ ବେଖାତିର କରିବାରୁ ସନ୍ତୋଷ ପ୍ରତିଶୋଧ ପରାୟଣ ହୋଇ ଉକ୍ତ ପ୍ରେମିକଙ୍କ ଭାଇ ସମେତ ପରିବାରର ୪ ଜଣ ଘରେ ବସିଥିବା ବେଳେ ତାଙ୍କ ଉପରକୁ ଅଚାନକ ଏସିଡ ମାଡ କରିଥିଲେ । ଗତକାଲି ଏହି ଘଟଣା ଘଟିଥିଲା । ଏହି ମାମଲାରେ ଅଭିଯୁକ୍ତ ସନ୍ତୋଷକୁ ପୋଲିସ ଗିରଫ କରି ପଚରା କରିବା ପରେ ଏମିତି କହିଛି ଅଭିଯୁକ୍ତ । ପୀଡିତଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନଙ୍କୁ ଆଇଜିଏଚ ସ୍ଥାନାନ୍ତର କରାଯାଇଛି ।