ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଭତ୍ତା ପାଇଁ ଆଧାର ସଂଯୋଗ ବାଧ୍ୟତା ମୂଳକ । ଆସନ୍ତା ଅପ୍ରିଲ ପହିଲାରୁ ହିତାଧିକାରୀ ଆଧାର ସଂଯୋଗ ନକରିଥିଲେ ପାଇ ପାରିବେ ନାହିଁ ଭତ୍ତା । ରାଜ୍ୟ ସରକାର ଭତ୍ତା ପାଇଁ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସାମାଜିକ ଓ ଭିନ୍ନକ୍ଷମ ସକ୍ତିକରଣ ସଚିବ ଭାଷ୍କର ଶର୍ମାଙ୍କ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସେ ତାଙ୍କ ଚିଠିରେ ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ପେନସନଧାରୀଙ୍କୁ ଆଧାର ଲିଙ୍କ କରିବାକୁ କହିଛନ୍ତି । ଅନ୍ୟପଟେ ୨୦୧୯ ଅକ୍ଟୋବର ଯାଏଁ ନ୍ୟାସନାଲ ସୋସିଆଲ ଆଶିଷ୍ଟାନ୍ସ ପ୍ରୋଗ୍ରାମ ଅନୁସାରେ ଆଧାର ଲିଙ୍କର ଡେଡଲାଇନ ଥିଲା ।
କିନ୍ତୁ ଅଧିକାଶଂ ପେନସନଧାରୀ ଆଧାର କାର୍ଡ ଲିଙ୍କ କରି ନଥିବାରୁ ରାଜ୍ୟ ସରକାର ଏହାର ସମୟ ସୀମାକୁ ପୁଣିଥରେ ଅପ୍ରିଲ ଯାଏଁ ବଢାଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୪୯ଲକ୍ଷ ୨୪ହଜାର ୧୯୧ଜଣଙ୍କୁ ଭତ୍ତା ପାଉଛନ୍ତି । ହେଲେ ସେଥିରୁ ୩୯ଲକ୍ଷ ୫ହଜାର ୯୭୫ଜଣଙ୍କର ଆଧାର ଲିଙ୍କ ହୋଇଛି । ଅନ୍ୟପଟେ ୩୫ଲକ୍ଷ ୪୩ ହଜାର ୩୫୮ଜଣଙ୍କର ଆଧାର ଯାଞ୍ଚ ହୋଇସାରିଛି । ତେବେ ବ୍ୟାଙ୍କ ଆକାଉଣ୍ଟ ସହ କେବଳ ୯ଲକ୍ଷ ୯୦ହଜାର ୭୮୫ଜଣ ହିତାଧିକାରୀଙ୍କର ଆଧାର ଲିଙ୍କ ହୋଇଛି ।