ପୁରୀ ( ଏଟିଆର ବ୍ୟୁରୋ) : ବାତ୍ୟା ଫୋନିର ସବୁଠାରୁ ଅଧିକ ପ୍ରଭାବ ପଡିଥିଲା ପୁରୀ ଜିଲ୍ଲା ଉପରେ । ଯାହା ଫଳରେ ପୁରୀର ଚିତ୍ର ବଦଳି ଯାଇଛି । ରେଳ ଚଳାଚଳ ଠାରୁ ବସ ପର୍ଯ୍ୟନ୍ତ ସବୁ କିଛି ହୋଇଛି ପ୍ରଭାବିତ । ପୁରୀରେ ଫୋନିର ପ୍ରଭାବ ରେଳ ବିଭାଗ ଉପରେ ମଧ୍ୟ ପଡିଛି । ରେଳ ବିଭାଗରେ ବ୍ୟାପକ୍ଷ କ୍ଷୟ କ୍ଷତି ହୋଇଛି । ପୁରୀକୁ ରେଳ ଯୋଗାଯୋଗ ଠିକ କରିବା ପାଇଁ ରେଳ ବିଭାଗ ମଧ୍ୟ କାମ ଜୋରଦାର କରୁଛି ।
ପୁରୀରୁ ୪ ଟି ଏକ୍ସପ୍ରେସ ଛାଡି ବାକି ଅନ୍ୟସବୁ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ନେଇ ସୂଚନା ଦେଇଥିଲେ । ବାକିଥିବା ଅନ୍ୟ ସମସ୍ତ ଟ୍ରେନ ଆସନ୍ତା ୧୮ ତାରିଖ ଠାରୁ ଚାଲୁ ହେବ ବୋଲି ସୂଚନା ଦେଇଛନ୍ତି । ସେହିଭଳି ପୁରୀ ଅନୁଗୁଳ ଓ ପୁରୀ ତାଳଚେର ମେମୁ ଟ୍ରେନ ଆଜି ଠାରୁ ଚଳାଚଳ ଆରମ୍ଭ କରିଛି ।
ପୁରୀରେ ବାତ୍ୟା ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଦୁଇ ଦିନ ହେଲା ଟ୍ରେନ ଚଳାଚଳରେ ଟିକେ ସୁଧାର ଆସିବାରୁ ଯାତ୍ରୀ ମାନେ ଟିକେ ଆସ୍ୱସ୍ତି ଲାଭ କରିଛନ୍ତି । ସେହିଭଳି ପୁରୀରେ ପେଟ୍ରୋଲ ପମ୍ପ ମଧ୍ୟ ସ୍ୱଭାବିକ ହୋଇଥିବା କେନ୍ଦ୍ରମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି । ଆସନ୍ତା ୧୨ ତାରିଖ ଠାରୁ ବିଦ୍ୟୁତ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ ।