ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବଡଦାଣ୍ଡରେ ଗୋଡେଇ ଗୋଡେଇ ପିଟିଥିଲା ପୁଲିସ । ଏବେ ବିଚ ରାସ୍ତାରେ କୁଟି ଦେଇଗଲେ ଗୁଣ୍ଡା । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରୁ ବାଲିଚୋରି ଓ ହରିଣ ଶୀକାର କରୁଥିବା ମାଫିଆଙ୍କ ଭାଣ୍ଡାଫୋଡ କରି ଆକ୍ରମଣର ଶିକାର ହୋଇଛନ୍ତି ପ୍ରମେୟ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ । ଦିନ ଦିପହରରେ ଆଉ ବିଚ୍ ରାସ୍ତାରେ କାଠ ଫାଳିଆରେ ବିକ୍ରମଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ ।
ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବା ବେଳେ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ବିକ୍ରମ । ଏହି ଭିଜୁଆଲ ହିଁ ପ୍ରମାଣ କରୁଛି ବିକ୍ରମଙ୍କ କ୍ଷେତ୍ରରେ କେତେ ରକ୍ତମୁଖ୍ୟା ହୋଇପାରନ୍ତି ଦୁବତ୍ତ୍ମାନେ । ପୁରୀ କୋଣାର୍କ ମେରାଇନ ରାସ୍ତାର ବେଲେଶ୍ୱର ପାଟଣା ଛକରେ ଶୁକ୍ରବାର ଘଟିଥିବା ଏହି ଘଟଣା ପୁଣି ଥରେ କହିବାକୁ ବାଧ୍ୟ କରିଛି ରାଜ୍ୟରେ ଆଦୌ ସୁରକ୍ଷିତ ନୁହନ୍ତି ସାମ୍ବାଦିକ । ଏକ କାର ଦୁର୍ଘଟଣାର ଖବର ପାଇ ବେଲେଶ୍ୱର ପାଟଣା ଯାଇଥିଲେ ବିକ୍ରମ । କିନ୍ତୁ ସେଠାରେ କିଛି ଲୋକ ଆହତଙ୍କୁ ଉଦ୍ଧାର କରିବା ବାହାନାରେ ଗାଡିରୁ ଚୋରୀ ଉଦ୍ୟମ କରୁଥିବା ବେଳେ ବିକ୍ରମ ପହଂଚିଥିଲେ ସେଠାରେ ।
ବାସ ଏହାପରର ଦୃଶ୍ୟ ଆପଣଙ୍କ ସ୍କ୍ରିନ ଉପରେ । ବିକ୍ରଙ୍କ କହିବା ଅନୁସାରେ ଦୁବୃର୍ତ୍ତମାନେ ତାଙ୍କୁ ତଳେ ପକାଇ ବେକରେ ଚଢ଼ି ଯାଇଥିଲେ । ଯୌନାଙ୍ଗକୁ ଗୋଇଠା ମାରି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ତେବେ ଅଚାନକ ସ୍ଥାନୀୟ ଲୋକେ ପହଂଚିଯିବାରୁ ଦୃବୁର୍ତ୍ତମାନେ ଚମ୍ପଟ ମାରିଥିଲେ । ଏବେ ଆମର ପ୍ରଶ୍ନ ଆଉ କେତେଦିନ ଏମିତି ଚାଲିବ? କେବେ ଲାଗୁହେବ ସାମ୍ବାଦିକ ସୁରକ୍ଷା ଆଇନ? ବିଜ୍ଞାପନ ଲୋଭ ପାଇଁ ସଂପାଦକ କି ମାଲିକଙ୍କ ମୁହଁରେ କଣ ତୁଣ୍ଡି ବନ୍ଧା ହୋଇଛି? କାହିଁକି ସେମାନେ ଆଗକୁ ଆସି ପ୍ରତିବାଦ କରୁନାହାଁନ୍ତି? ନା’ ଆମେ ଭାବିବାକୁ ବାଧ୍ୟ ହେବୁ ସବୁ କିଛି ଭିତରେ ରହିଛି ଆହୁରି ଅନେକ କିଛି । ତେବେ ସେ ଯାହାହେଉ ଏବେ ସମୟ ଆସିଛି ଏହାର ପ୍ରତିବାଦ କରିବାର । ନଚେତ ଭୟ ଓ ଭକ୍ତିର ବିରାଦରିରେ କେତେବେଳେ ଯେ ଭୁଷୁଡି ଯିବ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଆଉ ଲୋକେ କହିବେ ଥିଲା ଗୋଟେ ଅଯୋଗ୍ୟ ଖମ୍ବ…