ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦର ନିର୍ମାଣଧିନ ଛାତ ଭୁସୁଡି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଉ ଜଣେ ଗୁରୁତର ଭାବେ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି ।
ଏଥିରେ ସମ୍ପୃକ୍ତ ଠିକା କମ୍ପାନୀ ଦୀଲିପ କନଷ୍ଟ୍ରକସନ ର ମୁଖ୍ୟ ଦୀଲିପ ଖଟ୍ଟେଇଙ୍କ ଗୁମର ଦିନକୁ ଦିନ ପଦାରେ ପଡିବାରେ ଲାଗିଛି । ଏହି କମ୍ପାନୀ ଦ୍ୱାରା ପୁର୍ବରୁ ବହୁ ବଡ ବଡ ସରକାରୀ ବେସରକାରୀ କାର୍ଯ୍ୟ ହୋଇଛି । ହେଲେ ପ୍ରାୟ ଅଧିକାଂଶ କାମର ମାନ ଅତି ନିମ୍ନତର ବୋଲି ବିଭିନ୍ନ ମହଲରୁ ଏହି କମ୍ପାନୀ ବିରୁଧରେ ଅଭିଯୋଗ ଆସିଛି ।
ତେବେ ଏହି କମ୍ପାନୀର ଅପାରଗତା ଜାଣି ମଧ୍ୟ ବିମାନ ବନ୍ଦର କର୍ତ୍ତୁପକ୍ଷ କିପରି ଏହି ସଂସ୍ଥାକୁ ଏତେ ବଡ କାମ ଦେଇଥିଲେ ସେନେଇ ସାଧାରଣ ମହଲରେ ବାରମ୍ବାର ପ୍ରଶ୍ନ ଉଠିଛି । ଏତେ ସତ୍ତେ୍ୱ ମଧ୍ୟ ଦୀଲିପ କନଷ୍ଟ୍ରକସନ ପ୍ରତି ସରକାରଙ୍କ ଉଦାର ମନୋଭାବ ବୁଝି ହେଉନି ।
ଅନ୍ୟପଟେ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ, ମୃତକଙ୍କ ପରିବାର ପକ୍ଷରୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା । ହେଲେ ବର୍ତ୍ତମାନ ଓଏଚଆରସି ବା ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ଦୀଲିପ ଖଟ୍ଟେଇଙ୍କୁ କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ନ୍ୟାୟର ଆଶାରେ ଥିବା ମୃତକଙ୍କ ପରିବାରକୁ ମାତ୍ର ଅଢେଇ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
କୋଟି କୋଟି ଟଙ୍କାର ଏତେ ବଡ କାମରେ ଦୁର୍ନିତିର ଗନ୍ଧ ବାରି ହୋଇ ପଡୁଛି । ୬୦ କୋଟି ଟଙ୍କାର ଏଏଆଇର ଏହି କାମ ଲୁହା ପାଇପ ପରିବର୍ତ୍ତେ ବାଉଁଶରେ କାମ ଚଳୁଥିଲା । ଏତେ ସବୁ ଜାଣି ମଧ୍ୟ ରାଜ୍ୟ ମାନବାଧିକାର କମିଶନଙ୍କ ଦୀଲିପ ଖଟ୍ଟେଇଙ୍କ ପାଇଁ ଏତେ ଉଦାର ପଣ ସାଧାରଣ ଲୋକଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ତେବେ ମାନବାଧିକାରଙ୍କ ନିର୍ଦ୍ଦେଶ ଅନୁସାରେ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହାତଙ୍କୁ ୫୦ହଜାର ଟଙ୍କାର କ୍ଷତି ପୂରଣ ମିଳିବ ।