ଭଦ୍ରକ(ଏଟିଆର ବ୍ୟୁରୋ): କରୋନା କଟକଣା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୨୩ ତାରିଖରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ସକାଳ ୬ ଟାରୁ ୮ ଯା ପର୍ଯ୍ୟନ୍ତ ମନ୍ଦିରଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ କିନ୍ତୁ ଶନିବାର ଓ ରବିବାର ମନ୍ଦିର ସାନିଟାଇଜ କରିବା ପାଇଁ ବନ୍ଦ ରହିବ ।
ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିବେ କିନ୍ତୁ କୌଣସି ମୂର୍ତ୍ତିକୁ ଛୁଇଁପାରିବେ ନାହିଁ । ସେହିପରି ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ପରିସରରେ ପ୍ରସାଦ ସେବନ, ବିବାହ, ବ୍ରତଘର, କିମ୍ବା କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ମିଳିନାହିଁ ।
କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହିଥିଲା । ତେବେ ଖୁବ ଶୀଘ୍ର ମନ୍ଦିର ଖୋଲିବାକୁ ଯାଉଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଏହି ଗୋଟେ ମନ୍ଦିର ନୁହେଁ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲାଯିବାକୁ ଭଦ୍ରକ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।