ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଆଞ୍ଚଳିକ ସ୍ୱାୟତ ଜନଜାତି ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଲୋକାର୍ପଣ କରାଯାଇଛି ।ଏହାକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଲୋକାର୍ପିତ କରିଛନ୍ତି । ଆଦିବାସୀ ଅଧିସ୍ଥିତ ଅଞ୍ଚଳ ଗୁଡିକରେ ଥିବା ପାହାଡ ଝରଣାକୁ କିପରି ସଂରକ୍ଷିତ କରାଯାଇ ଏହାକୁ ପାନୀୟ ଓ କୃଷି କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବେ ତାହା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ସବୁ ପ୍ରାକୃତିକ ଉତ୍ସକୁ ସଂରକ୍ଷିତ କରି ରଖି ପରବର୍ତ୍ତୀ ସମୟରେ କିପରି କାର୍ଯ୍ୟ ଉପଯୋଗୀ କରାଯାଇପାରିବ ଏଥିପାଇଁ ଜନଜାତି ପ୍ରତିନିଧିଙ୍କ ତାଲିମ ପ୍ରଦାନ କରାଯିବ ।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁସୂଚିତ ଜନଜାତିର ଦକ୍ଷତା ବୃଦ୍ଧି ନିମନ୍ତେ ଆଞ୍ଚଳିକ ସ୍ୱାୟତ ଜନଜାତି ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ସଚିବ ଦୀପକ ଖଣ୍ଡେରକର ଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେଇଥିଲେ ।