ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଖୋଲିବ ମାର୍କେଟ ବିଲ୍ଡିଂରେ ଥିବା ସବୁ ଦୋକାନ । ରଜ ପାଇଁ ଗତ ୧୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାତ୍ର କଫ୍ୟୁକୁ କୋହଲ କରାଯାଇ ସଂନ୍ଧ୍ୟା ୭ଟା ପରିବତ୍ତେ ରାତି ୧୦ ଟା ବେଳେ ଲାଗୁ କରିବା ପାଇଁ କୁହାଯାଇଥିଲା । ଏହାପରେ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ ହୋଇଥିଲା । ଫଳରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ସିଲ କରି ଦିଆଯାଇଥିଲା ।
ଦୋକାନରେ ସାମାଜିକ ଦୂରତା ନଥିବାରୁ ଏବଂ ଲୋକେ ବିନା ମାସ୍କରେ ବୁଲୁଥବାରୁ ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିଶନର ମାର୍କେଟ ବିଲ୍ଡିଂ ସିଲ କରିଥିଲେ । ଏହାପରେ ବ୍ୟବସାୟୀ ମାନେ ଦୋକାନ ଖୋଲିବା ପାଇଁ ବିଏମସି କତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ । ତେବେ ଏସଓପି ମାନିବାକୁ ନେଇ ମାର୍କେଟ ବିଲ୍ଡିଂର ବ୍ୟବସାୟୀ ମାନେ ଲିଖିତ ଆକାରରେ ଦେବା ପରେ ମାର୍କେଟ ଖୋଲିବାକୁ ଅନୁମତି ଦେଇଛି ବିଏମସି ।