ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୋଟିଏ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସମସ୍ତ ଟୋଲପ୍ଲାଜା ବନ୍ଦ କରାଯିବ ବୋଲି ସରକାର ଯୋଜନା କରିଛନ୍ତି । ଏହି ଟୋଲ ପ୍ଲାଜା ସ୍ଥାନରେ ରହିବ ଜିପିଏସ ଟ୍ରାକର । ଯାହା ଦ୍ୱାରା ଗାଡିକୁ ଟ୍ରାକ କରାଯିବ । ଲୋକସଭାରେ ଏଭଳି କିଛି ଘୋଷଣା କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ।
ଆଗାମୀ ଦିନ ମାନଙ୍କରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ଯେତିକି ଟୋଲ ଦେୟ ଦେବେ ସେମାନେ ସଡକ ଉପରେ ଯାତାୟତ କରିବେ । ନିତୀନ କହିଛନ୍ତି ଏବେ ଯଦି ଟୋଲ ପ୍ଲାଜା ହଟାଇ ଦିଆଯିବ ତେବେ କଂପାନୀ ଆଇନା ଆଶ୍ରା ଦେଇ କ୍ଷତିପୁରଣ ଦାବି କରିବ । ତେବେ ସରକାର ଆସନ୍ତା ଏକ ବର୍ଷ ମଧ୍ୟରେ ରାଜପଥରୁ ସବୁ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି ।
ଟେକ୍ନୋଲୋଜି ସାହାଯ୍ୟ ନେଇ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ସରକାରଙ୍କ ଯୋଜନା ହେଉଛି ଜାତୀୟ ରାଜପଥରେ ଜିପିଏସ୍ ଟ୍ରାକର ଲଗାଇବା । ଯାହାଦ୍ୱାର ଜିପିଏସ ରାଜପଥରେ ଚାଲୁଥିବା ଗାଡିର ଫଟୋ ନେଇପାରିବ ।
ଗୋଟିଏ ଗାଡି ଯେଉଁଠାରୁ ରାଜପଥ ଉପରକୁ ଆସିବ ସେଠାରେ ତା’ର ଫଟୋ ଉଠାଯିବ । ପରେ ଯେତେବେଳେ ଗାଡି ରାଜପଥରୁ ବାହାରିବ ସେତେବେଳେ ମଧ୍ୟ ଫଟୋ ଉଠିବ । ଏହାଫଳରେ ଗାଡି ରାଜପଥରେ ଯେତିକି ବାଟ ଗଡିଥିବ ସେତିକି ପାଇଁ ଟୋଲ୍ ଦେବ ।ଏହାଦ୍ୱାରା ଟୋଲପ୍ଲାଜା ନିକଡରେ ଗାଡି ରଖିବା ପାଇଁ ପଡିବ ନାହିଁ ।ସେମାନେ ଏହି ଟୋଲ ପ୍ଲାଜା ଅତିକ୍ରମ କରିବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେୟ କଟିଯିବ ।