କଳାହାଣ୍ଡି (ଏଟିଆର ବ୍ୟୁରୋ); ମଣ୍ଡିରେ ପଡି ରହିଛି ୧୦ ହଜାର କ୍ୱିଣ୍ଟାଲ ଧାନ । ଏହାକୁ ଉଠାଇବାର ନାଁ ଧରୁ ନାହାଁନ୍ତି । ଆଗକୁ ବର୍ଷା ଆସୁଥିବାରୁ ଚିନ୍ତାରେ ଚାଷୀ । ତେବେ ନିଜର ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଚାଷୀମାନେ ରାଜ ରାସ୍ତାରେ ବସିଛନ୍ତି । ଜୁନାଗଡରୁ କଲମପୁର ରାସ୍ତାରେ ଯାତାୟତ ଠପ ହୋଇ ପଡିଛି ।
ଚଳିତ ବର୍ଷ ବିଳମ୍ବରେ ମଣ୍ଡି ଖୋଲା ଯାଇଛି । କିନ୍ତୁ ଚାଷୀ ବହୁ ଦିନ ହେଲା ଧାନ ଆଣି ରଖିଛନ୍ତି । ତେବେ ଏଗୁଡିକ ନଉଠାଇଥିବାରୁ ତାତିଛନ୍ତି ଚାଷୀ । ବର୍ଷା ହେଲେ ଯଦି ଖରାପ ହୁଏ ତେବେ ଚାଷୀଙ୍କ ବର୍ଷକର ପରିଶ୍ରମ ବେକାର ହୋଇଯିବ । ଏଣୁ ଚାଷୀମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ଆଜି ଚାଷୀମାନେ କଲମପୁର ବ୍ଳକ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ବିକ୍ଷୋଭ କରିଛନ୍ତି ।
ରିପୋର୍ଟ ପ୍ରକାଶ କରାଯିବା ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ନଥିଲା । ଏଣୁ ରାସ୍ତାର ଉଭୟ ପାଶ୍ୱରେ ବହୁ ଗାଡି ଅଟକି ରହିଥିଲା । ଏସଡିପିଓ ଏବଂ ଥାନା ଅଧିକାରୀଙ୍କ ପାଖରେ ଏହି ଖବର ପହଁଞ୍ଚି ଯାଇଥିଲା । ସୂଚନାଯୋଗ୍ୟ,ସମସ୍ତଙ୍କୁ ଦାନା ଯୋଗାଉଥିବା ଚାଷୀ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସୁଛି । ପ୍ରାଇସ ପେନସନ ଓ ପ୍ରେଷ୍ଟିଜ ପାଇଁ ଧାରଣାରେ ବସୁଥିଲେ ସୁଦ୍ଧା ହତାଶ ହେଉଛନ୍ତି । ବାହାର ରାଜ୍ୟରେ ଧାନର ଏମସପି ମୂଲ୍ୟ ଅଧିକ ଥିବା ବେଳେ ଓଡିଶାରେ କମ ରହିଛି ।