ଯାଜପୁର (ଏଟିଆର ବ୍ୟୁରୋ): ଆଗାମୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜମୁଛି । ସବୁ ରାଜନୈତିକ ଦଳ ଶେଷ ପର୍ଯ୍ୟାୟରେ ସେମାନଙ୍କ ହେବିୱେଟ ନେତାଙ୍କୁ ନେଇ ଓହ୍ଲାଇଛନ୍ତି ପ୍ରଚାରକୁ । ଯେହେତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଛି ତେଣୁ ଯେଉଁ ହେବିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି ସେମାନେ ଏବେ ଦଳର ଅନ୍ୟପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ପ୍ରାୟ ସବୁ ରାଜନୈତିକ ଦଳ ମାନଙ୍କର ପ୍ରମୁଖ ଏବେ ଉପକୂଳ ଓଡିଶା ମୂହାଁ । କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁରରେ ଡେରା ପକାଇଛନ୍ତି ।
ସେହିପରି ଯାଜପୁର ବଡଚଣା ନିର୍ବାଚନ ମଣ୍ଡଳିରେ ବିଜେପି ତାର ପ୍ରଚାର ଜୋରଦାର କରିଛି । ବିଜେପି ମୁଖପାତ୍ର ବା ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବେ ଯାଜପୁରରେ ଡେରା ପକାଇଛନ୍ତି । ଦୁଇଦିନ ତଳେ ବିଜେପି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀଙ୍କ ପାଇଁ ଡୋର ଟ ଡୋର ବୁଲିବା ସହିତ ରୋଡ ସୋ କରି ଭୋଟ ମାଗିଥିଲେ । ସେହିଭଳି ବଡଚଣାରେ ବିଜେପି ମୁଖପାତ୍ର ବିଜେପି ପ୍ରାର୍ଥୀ ଅମର ନାଏକଙ୍କ ପାଇଁ ପ୍ରଚାର କରିଛନ୍ତି ।
ବଡଚଣାରେ ସେ ବିଜେପି କର୍ମୀ ମାନଙ୍କ ସହିତ ଏକ ରୋଡ ସୋ କରି ସେଠାରେ ସେ ଅମରଙ୍କ ପାଇଁ ଭୋଟ ମାଗି ଥିଲେ । ଅନ୍ୟପଟେ ବଡଚଣାରେ କଂଗ୍ରେସ ଓ ବିଜେଡି ମଧ୍ୟ ପ୍ରଚାର ଜୋରଦାର କରିଛନ୍ତି । ତେବେ ସମ୍ବିତ ଯେହେତୁ ବିଜେପିର ଜାତୀୟ ମୁଖପାତ୍ର ରହିଛନ୍ତି ତାଙ୍କ ରୋଡ ସୋ ବିଜେପି ପ୍ରାର୍ଥୀଙ୍କ ପାଇଁ ବହୁତ ସହାୟ ହେବ ବୋଲି ସାଧାରଣ ଲୋକ ମତ ରଖୁଛନ୍ତି ।