ନୟାଗଡ (ଏଟିଆର ବ୍ୟୁରୋ); ରୋଗୀ ମେଡିକାଲ ଆଣିବାକୁ ଯାଇ ନିଜେ ମେଡିକାଲରେ ଭର୍ତ୍ତି ହେଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ସକାଳୁ ସକାଳୁ ଘନ କୁହୁଡି ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଆଉ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ କୁଆଁରିଆ ଡ୍ୟାମ ଛକ ନିକଟରେ ।
ସୂଚନା ଅନୁଯାୟୀ ସକାଳୁ ରୋଗୀ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ଡାଇଭର ଫେରାର ହୋଇଯାଇଛି । ସେପଟେ ସ୍ଥାନୀୟ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଦଶପଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।