ପୁରୀ (ଏଟିଆର ବ୍ୟୁରୋ); ପୁରୀ ଗସ୍ତରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର । ଗତକାଲି ରାତିରେ ସେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଜି ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି ତାର ତଦାରଖ କରିଛନ୍ତି । ଏ ବାବଦରେ ରାଜନଅରରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର ।
ହୋଟେଲକୁ ଯିବା ପୁର୍ବରୁ କୌଣସି ଅଧିକାରୀଙ୍କୁ ନଜଣାଇ ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ଯାଇଥିଲେ ଆମିକସ୍ କ୍ୟୁରୀ । ଶ୍ରୀମନ୍ଦିର ବେଢାପରିକ୍ରମା କରିବା ପରେ ଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଥିଲେ । ତାପରେ ବଡଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଥିଲେ । ଶେଷରେ ଆନନ୍ଦବଜାର ପରିଦର୍ଶନ କରି ହୋଟେଲରେ ରାତି ଦଶଟାରେ ପହଞ୍ଚିଥିଲେ । ହୋଟେଲ ନିକଟରେ ମୁଖ୍ୟ ପ୍ରଶାସକ ପ୍ରଦିପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଉମାଶଙ୍କର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ଆମିକସ୍ କ୍ୟୁରୀଙ୍କୁ ସ୍ୱାଗତ କରିଥିଲେ ।
ସେବାୟତଙ୍କ ଦାନ ଦକ୍ଷିଣା ଉପରେ କଟକଣା, ବଂଶାନୁକ୍ରମିକ ସେବାପ୍ରଥା ଉଚ୍ଛେଦ, ଅନ୍ନଦାନ ଆଟିକା ପ୍ରସଙ୍ଗରେ ଆମିକସ କ୍ୟୁରୀଙ୍କୁ ନିଜର ମତାମତ ଜଣାଇବେ ସେବାୟତ । ଏହାଛଡ଼ା ସୁପ୍ରିମକୋର୍ଟରେ ଇଣ୍ଟର ଭେନର ହୋଇଥିବା ବିଭିନ୍ନ ପକ୍ଷଙ୍କ ସହ ସେ ମଧ୍ୟ ଆଲୋଚନା କରିପାରନ୍ତି । ବିଶେଷକରି ଗତ ଅକ୍ଚୋବର ୩ରେ ଶ୍ରୀମନ୍ଦିର ପ୍ରସଙ୍ଗରେ ପୁରୀରେ ବନ୍ଦ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ଆମିକସ୍ କ୍ୟୁରି ସମସ୍ତଙ୍କ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟଙ୍କୁ ଆସନ୍ତା ୨୭ରେ ସମସ୍ତ ରିପୋର୍ଟ ପ୍ରଦାନ କରିବେ । ଏହାପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।