ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଆରମ୍ଭ ହୋଇଯାଇଛି ୧୮ ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ । ଏହାର ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ମେଜର ଜେନେରାଲ ବସନ୍ତ ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନସଂଚାର ସଂସ୍ଥାନ ଢେଙ୍କାନାଳର ଆଞ୍ଚଳିକ ନିର୍ଦେଶକ ମୃଣାଳ ଚାଟାର୍ଜୀ , ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସକାଳେ ଏକ ଚିତ୍ର ପ୍ରତିଯୋଗିତା ହୋଇଥିବା ବେଳେ ଅପରାହ୍ନ ୩ ଟାରେ ସୈନିକ ସ୍କୁଲ ଠାରୁ ଏକ ନାଚ ଗୀତ ଶୋଭାଯାତ୍ରା ବାହାରି ରେଳ ସଦନରେ ପହଞ୍ଚିଥିଲା । ଉଦଘାଟନ ଉତ୍ସବରେ ୧୦ ବର୍ଷର ଭଲ୍ୟୁଣ୍ଟର ଭାବେ ସମ୍ମାନୀତ ହୋଇଥିଲେ ଗାୟତ୍ରୀ କର । ସେହିଭଳି ହୋଇଥିବା ପ୍ରତିଯୋଗିତାରେ ସାଇଇଣ୍ଟରନ୍ୟାସନାଲ ସ୍କୁଲ ପ୍ରଥମ ହୋଇଥିବା ବେଳେ ମଦର ପବ୍ଲିକ ସ୍କୁଲ ଦ୍ୱିତୀୟ, ତ୍ରିପୁରା ଏଡିଏମ ସ୍କୁଲର ଛାତ୍ରଛାତ୍ରୀ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ସ୍ୱାଗତ ସାମଲ,ସତ୍ୟବାନ ନାୟକ ଓ ପ୍ରତିଭା ରଥଙ୍କୁ ଚଳିତ ବର୍ଷ ପାଇଁ ଅଞ୍ଜଳି ବୃତ୍ତି ପ୍ରଦାନ କରାଯାଇଛି ।
ଏହି ମହୋତ୍ସବରେ ବାଂଲାଦେଶର ଗୋଟିଏ ଟିମ, ଭାରତର ବିଭିନ୍ନ ରାଜ୍ୟରୁ ୧୨ଟି ଟିମ ଓ ଓଡିଶାର ୮ଟି ଟିମ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅଞ୍ଜଳି ମହୋତ୍ସାବରେ ମଦର ପବ୍ଲିକ ସ୍କୁଲ, ବିଜେବି ଅଟୋନମସ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ଏନୱାଇପିର ଭଲ୍ୟୁଣ୍ଟରମାନଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିବା ପିଲାମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ପଦର୍ଶିତ କରୁଥିବାର ଦେଖିବାକୁ ମିଳିଥିଲା ।