ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠାରୁ ଆନ୍ଦୋଳନରେ ବସିବେନି ସାମାଜିକ କର୍ମୀ ଆନ୍ନା ହଜାରେ । ଚାଷୀଙ୍କ ସମର୍ଥନ ପାଇଁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବା ପାଇଁ ଘୋଷଣା କରିଥିଲେ ଆନ୍ନା ହଜାରେ । ଆନ୍ନା କହିଛନ୍ତି କୃଷି ସଂସ୍କାର ନେଇ ତାଙ୍କର କେତେକ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ସେ ଅନଶନରେ ବସିବେ ନାହିଁ ।
୮୩ ବର୍ଷିୟ ଆନ୍ନା କହିଛନ୍ତି ସରକାର ଚାଷୀଙ୍କ ଦାବି ପ୍ରତି ଅଧିକ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା ଉଚିତ । କୃଷି ଆଇନରେ ଯେଭଳି ଭାବେ ସଂସ୍କାର ଆଣିବା କଥା ତାହା ହୋଇ ନାହିଁ ବୋଲି ସେ କହିଛନ୍ତି । ଏ ବାବଦରେ ଆନ୍ନା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବା ପାଇଁ କହିଛନ୍ତି ।