ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳରେ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତ ରହିବ କଣ୍ଟେନମେଣ୍ଟ ଜୋନ୍ । ଏନେଇ ଆଜି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ଏହି କଟକଣା ଆସନ୍ତା ୨୨ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ବଳବତ୍ତ ରହିବ । ସୂଚନାଯୋଗ୍ୟ ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ପ୍ରମତେ ଗତ ୧୨ ତାରିଖ ଦିନ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହା ପରେ ୧୪ ତାରିଖ , ୧୬ ତାରିଖ ଓ ୧୮ ତାରିଖ ଦିନ ଏହାର ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଆଜି ଏହାର ଅବଧି ସରିଯାଉଥିବା ବେଳେ ଏହାକୁ ପୁଣି ୪୮ ଘଣ୍ଟା ପାଇଁ ବଢାଇ ଦିଆଯାଇଛି ।
ସୂଚନା ଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଲେ ଜଣଙ୍କର ମୃତ୍ୟୁ ଘଟିଛି ।