ନୀଳଗିରି(ଏଟିଆର ବ୍ୟୁରୋ): ଗତକଲି ରାତିରେ ଏକ ଘରୋଇ ବସକୁ ଦୁର୍ବୃତ୍ତ ମାନେ ଅଟକାଇ ଲୁଟ କରିଛନ୍ତି । ସୂଚନା ଅନୁସାରେ ବିଜୟା ନାମକ ଏକ ଘରୋଇ ବସ କାଲି ରାତିରେ ନୀଳଗିରି ଥାନା ସଜନାଗଡ ନିକଟରେ ଜାମୁଡିହିସାହି ଠାରେ ପ୍ରଥମେ ଏକ କାରେ ଥିବା କିଛି ଦୁର୍ବୃତ୍ତ ଅଟକାଇ ଥିଲେ । ବସଟି ରହିବା ମାତ୍ରେ ରାସ୍ତା କଡରେ ଦୁଇଟି ବାଇକରେ ଠିଆ ହୋଇଥିବା ୪ଜଣ ଯୁବକ ବସ ଉପରକୁ ଉଠି କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ବିରୋଧ କରିବାରୁ ଯୁବକ ମାନେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ ମାରିଥିଲେ ।
ଏହା ସହ କଣ୍ଡକ୍ଟର ଓ ଡ୍ରାଇଭରଙ୍କ ପାଖରେ ଥିବା ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟି ନେଇ ଥିଲେ । ଏହି ବସଟି ଶରତରୁ ଭୁବନେଶ୍ୱର ଆସୁଥିଲା । ଏହି ଘଟଣାରେ ବସରେ ଥିବା ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ । ଟଙ୍କା ପାଇବା ମାତ୍ରେ ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ବିଜୟା ବସର କଣ୍ଡକ୍ଟର ନୀଳଗିରି ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।