ଝାରସୁଗୁଡା(ଏଟିଆର ବ୍ୟୁରୋ): ଗତକାଲି ରାତିରେ ବିଜେଡି ନେଥା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇଥିଲା । ଅନୁପଙ୍କ ନାଁ ଏକ ଡବଲ ମର୍ଡର ମାମଲାରେ ଛତିଶଗଡ ପୋଲିସ ପଚାରଉଚରା କରୁଥିଲା । ଏହା ପରେ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ବର୍ତ୍ତମାନ ଅନୁପଙ୍କ ଅଡୁଆ ଆହୁରି ବଢିଯାଇଛି । ଅନୁପଙ୍କୁ ପଣ୍ୟଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଏହା ସହ ଦଳର ସୁପ୍ରିମୋ ଅନୁପୁଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସୂଚନା ଅନୁସାରେ ୨୦୧୬ରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ଅନୁପଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇ ପଚରାଉଚରା କରିବା ସହ ଗିରଫ କରିଛି ।
ଏହି ହତ୍ୟା ମାମଲା ଛତିଶଗଡ ଚକ୍ରଧର ନଗର ପୋଲିସ ତଦନ୍ତ କରୁଥିଲା । ପୋଲିସର କହିବା ଅନୁସାରରେ ଚକ୍ରଧର ନଗର ଅଞ୍ଚଳରେ ମିଳିଥିବା ଦୁଇଟି ମୃତ ଦେହ ବ୍ରଜରାଜ ନଗରର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ହତ୍ୟା କାଣ୍ଡରେ ଅନୁପଙ୍କ ସମ୍ପର୍କ ଥିବାର ପୋଲିସ ଜାଣିବାକୁ ପାଇଥିଲା । ତେବେ ଅନୁପଙ୍କୁ ଉଠାଇନବା ପୂର୍ବ ଛତିଶଗଡ ପୋଲିସ ବିଧିବଦ୍ଧ ଭାବେ ଝାରସୁଗୁଡା ଏସପିଙ୍କୁ ଜଣାଇଥିଲା । ଅନୁପ ୨୦୦୦ ମସିହାରେ କଂଗ୍ରେସରୁ ଟିକଟ ପାଇ ଲଗାତର ତିନି ଥର ବ୍ରଜରାଜ ନଗରରୁ ବିଧାୟକ ହୋଇଥିଲେ । ତେବେ ୨୦୧୪ରେ ଅନୁପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ।