ଝାରସୁଗୁଡା(ଏଟିଆର ବ୍ୟୁରୋ): ଗତ ବୁଧବାର ଦିନ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାୟଗଡା ପୋଲିସ ଉଠାଇ ନେଇଥିଲା । ଏକ ଡବଲ ମର୍ଡର ମାମଲାରେ ଗତକାଲି ଅନୁପ ସାଏଙ୍କୁ ଗିରଫ କରିଥିଲା ରାୟଗଡା ପୋଲିସ । ଏନେଇ ଗତକାଲି ରାୟଗଡା ଏସପି ସନ୍ତୋଷ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ସୂଚନା ଅନୁସାରେ ୨୦୧୬ରେ ଛତିଶଗଡ ସିମାନ୍ତରେ ଦୁଇଟି ମୃତ ଦେହ ମିଳିଥିଲା ।
ତେବେ କିଛି ଦିନ ପର୍ଯ୍ୟନ୍ତ ମୃତ ଦେହର ପରିଚୟ ମିଳି ନଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲା । ୬ଟି ଜିଲ୍ଲାର ୭୦୦ ଶହ ଜଣଙ୍କୁ ଏହି ମାମଲାରେ ପୋଲିସ ଜେରା କରିଛି । ତେବେ ଏହି ମାମଲାରେ ଅନୁସାଏଙ୍କ ସଂପୃକ୍ତି ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପୋଲିସ ଅନୁପଙ୍କୁ ନୋଟିସ ଦେଇ ବାରମ୍ବାର ଡାକିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ପୋଲିସକୁ ସାହାର୍ଯ୍ୟ କରୁନଥିଲେ ଅନୁପ । ତେବେ ଗିରଫ ହେବା ପରେ ଅନୁପ ମୃତ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ମାରି ଦେଇଥିବା କଥା ସ୍ୱୀକାର କରିଛନ୍ତି ।
ଏହି ମାମଲାରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି ପୋଲିସ । ଅନୁପ କଳ୍ପନାଙ୍କ ସହ ୨୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଲିଭ ଇନ ରିଲେସନରେ ରହିଥିଲେ । କଳ୍ପନା ଅନୁପଙ୍କ ସହ ବିବାହ କରିବାକୁ କହିବାରୁ ଅତି ଚାଲାଖି ସହ ଅନୁପ ତାଙ୍କୁ ଓ ତାଙ୍କ ଝିଅଙ୍କୁ ମାରି ଛତିଶଗଡର ଏକ ଜଙ୍ଗଲରେ ଫୋପାଡି ଦେଇଥିଲେ ।
ପ୍ରମାଣ ନଷ୍ଟ କରିବା ପାଇଁ କଳ୍ପନା ଓ ତାଙ୍କ ଝିଅଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ଅନୁପ । ଏହି ଘଟଣାରେ ଅନୁପଙ୍କ ଡ୍ରାଇଭରଙ୍କ ସମ୍ପର୍କ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି । ଅନ୍ୟ ପଟେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କ ପରିବାର ଲୋକେ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି ।