ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱରରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥିରୂପେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଏଣିକି କୌଣସି ଉଚ୍ଚଶିକ୍ଷା ସଂସ୍ଥାର ଗଭର୍ଣ୍ଣିଂ ବଡି ଅର୍ଥାତ କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ଆଉ ସଦସ୍ୟ ରହିପାରିବେ ନାହିଁ । ଏହି କମିଟିରେ କେବଳ ଶିକ୍ଷାବିତ ମାନଙ୍କୁ ସଦସ୍ୟ ରୂପେ ରଖାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।
ସେହିଭଳି ସରକାରୀ ଅଧ୍ୟାପକ ପିଲାଙ୍କୁ ଘରୋଇ ଭାବେ ଟ୍ୟୁସନ ଦେଇପାରିବେ ନାହିଁ । ଟ୍ୟୁସନ ଦେଉଥିବାର ଧରାପଡିଲେ ସଂପୃକ୍ତ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି , ଦିନକୁ ଦିନ ଶିକ୍ଷାର ମାନ କମୁଥିବାରୁ ଉଭୟ ଅଧ୍ୟାପକ ଓ ଅଭିଭାବକଙ୍କୁ ଏଥିପ୍ରତି ସଚେତନ ହେବାକୁ ପଡିବ । ସମସ୍ତଙ୍କୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଯିଏ ଯେଉଁ ବିଷୟରେ ଭଲ କରୁଛି ତାଙ୍କୁ ସେଥିପ୍ରତି ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି । ସବୁ ସମୟରେ ପିଲାମାନଙ୍କୁ ଅଭିବାବକମାନେ ମାର୍ଗଦର୍ଶନ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।