ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରୀ ମନ୍ଦିରକୁ ସରସ ସୁନ୍ଦର ସହ ବିଶ୍ୱ ଐତିହାସିକ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର ୭୫ ମିଟର ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଉଚ୍ଛେଦ ସମୟରେ ବିଭିନ୍ନ ମଠ ମନ୍ଦିର, ଦୋକାନ, ଘର, ଲଜ ଗୁଡିକୁ ଭାଙ୍ଗିବା ସହ କ୍ଷତିଗ୍ରସ୍ତ ବ୍ୟକ୍ତିକୁ ଆର୍ଥିକ ସହାୟତା ଦେବା ପାଇଁ ନିଦ୍ଦେର୍ଶ ରହିଥିଲା । ଏହି ଉଚ୍ଛେଦ କାର୍ଯ୍ୟରେ କିଛି ଲୋକ ସ୍ୱତକୃତ ଭାବେ ନିଜ ଜାଗା ସରକାରକୁ ଉଚ୍ଛେଦ କରିବା ପାଇଁ ପ୍ରଦାନ କରିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ । ବାଦବିବାଦ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ କାର୍ତ୍ତିକ ମାସ ଚାଲିଥିବାରୁ ଏହି ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ।
ପୁରୀରେ ହବିଷ୍ୟାଳିଙ୍କ ଭିଡ ସାଙ୍ଗକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଏବେ କାତ୍ତିକମାସ ଶେଷ ହେବାରୁ ହବିଷ୍ୟାଳିମାନେ ମଧ୍ୟ ଘରକୁ ଫେରି ଯାଇଛନ୍ତି । ତେଣୁ ଏବେ ପୁଣି ଶ୍ରୀମନ୍ଦିରର ୭୫ମିଟର ପରିଧିରୁ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏହାସହ ଶ୍ରୀମନ୍ଦିରର ୭୫ ମିଟର ପରିଧି ପରିସରରୁ ବିସ୍ଥାପିତ ହେଉଥିବା ଲୋକଙ୍କ ପାଇଁ ହାଉସିଂ ପ୍ରୋଜେକ୍ଟ ଓ ପ୍ଲଟିଂ ସ୍କିମ୍ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗଦାଧର ହାଇସ୍କୁଲ ପଛପଟ ଓ ମଙ୍ଗଳାଘାଟ ମୌଜାରେ ୧୫ ଏକର ଜମି ଚିହ୍ନଟ ହୋଇ ପିକେଡିଏ ମଞ୍ଜୁର ପାଇଁ ଯାଉଛି । ବିସ୍ଥାପିତ ହେଉଥିବା ଲଜିଂ ଗୁଡିକୁ ବଗଲା ଧର୍ମଶାଳା ମଧ୍ୟରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏପଟେ ଡିସେମ୍ବର ୪ତାରିଖ ପରେ ଆଉ ସ୍ୱତନ୍ତ୍ର ପ୍ୟାକେଜରେ ୧୦ ପ୍ରତିଶତ କ୍ଷତିପୂରଣ ମିଳିବ ନାହିଁ । ତେଣୁ ଏହି ସମୟ ଭିତରେ ଆବେଦନ କରିବାକୁ ହେବ । ପୂର୍ବରୁ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଏହି ୧୦ପ୍ରତିଷତ ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଘୋଷଣା କରାଯାଇଥିଲା । ତେବେ ପୁରୀ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।