ଭୁବନେଶ୍ୱର, (ଏଟିଆରବ୍ୟୁରୋ): ମାଲଟା ବୁଲେଇ ଦେଇ ଥାନାକୁ ଆସିଥିଲେ । ଯାହାକୁ ନାହିଁ ତାକୁ ବକିଥିଲେ । ଦୋଅକ୍ଷରୀ ଏମିତି ଉଡିଲା ଯେ, ପୂରା କ୍ୟାମ୍ପସ ଥରି ଉଠିଲା । ନିଜ ସ୍ତ୍ରୀ ଉପରେ ଥିବା ଅସଲ ରାଗ ସୁଝାଇବାକୁ ଯାଇ ସମସ୍ତଙ୍କ ଚଉଦ ପୁରୁଷ ଉଦ୍ଧାର କରିଥିଲେ କମିଶନରେଟ ପୁଲିସର କରିତକର୍ମା ଏଏସଆଇ ଲକ୍ଷ୍ମଣ ନାୟକ । ତେବେ ଏନେଇ ପ୍ରଥମେ ଏଟିଆର ନ୍ୟୁଜ ଖବର ପ୍ରକାଶ କରିବା ପରେ ଏବେ ଆକ୍ସନ ମୁଡକୁ ଆସିଛନ୍ତି ବରିଷ୍ଠ ଅଧିକାରୀ । ସସପେଣ୍ଡ ହୋଇଛନ୍ତି ଲକ୍ଷ୍ମଣ ।
ରିପୋର୍ଟ ଅନୁସାରେ, ମଞ୍ଚେଶ୍ୱର ଥାନାରେ ଏଏସଆଇ ଥିବା ଲକ୍ଷ୍ମଣଙ୍କ ପତ୍ନୀ ଖାରବେଳନଗର ଥାନାରେ କାମ କରନ୍ତି । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ତେଣୁ ଲକ୍ଷ୍ମଣ ସିଧା ପେଟେ ମଦ ପିଇ ଖାରବେଳନଗର ଥାନାରେ ପହଞ୍ଚିଥିଲେ । ନିଜ ପତ୍ନୀଙ୍କୁ ଖୋଜିବା ସହ ଥାନା ଭିତରେ ମା’ ଭଉଣୀ ଉଡାଇଥିଲେ । ସାଥୀ ପୁଲିସ କର୍ମଚାରୀ ତାଙ୍କୁ ଯେତେ ବୁଝାଇଥିଲେ ବି ଲକ୍ଷ୍ମଣ ପୂରା ନଛୋଡବନ୍ଧା ଥିଲେ । ମୁଣ୍ଡକୁ ନିଶା ଏତେ ଚଢ଼ିଥିଲା ଯେ, ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ ଲକ୍ଷ୍ମଣ । ଡିସିପି, ସିପି ଏପରିକି ଡିଜିଙ୍କ ପ୍ରତି ଥିବା ସମ୍ମାନର ପୂରା ଧଜିଆ ଉଡାଇଥିଲେ ।
ଆଇଆଇସିଙ୍କ କଲିଜା ଟାଣି ଆଣିବା କହି ମଧ୍ୟ ପୂରା ଥାନାକୁ ହୁଲୁସ୍ତୁଲ କରିଥିଲେ । ଜଣେ ପୁଲିସ ଏଏସଆଇଙ୍କ ଏଭଳି ହାଇଭୋଲ୍ଟେଜ ଡ୍ରାମା ଥାନାକୁ ଆସିଥିବା ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା । ଯେଉଁ କମିଶନରେଟ ପୁଲିସ ଲୋକଙ୍କୁ ନୀତିଶିକ୍ଷା ଦିଏ ସେଭଳି ବିଭାଗରେ ପୁଣି ଏଭଳି ଅଫିସ କେଉଁଠୁ ଆସିଲେ ବୋଲି ଲୋକେ ଟୁପୁୁରୁଟାପୁର ହେବାକୁ ଲାଗିଥିଲେ ।
ତେବେ ପୂରା ଘଟଣା ଉପରେ କିନ୍ତୁ ନଜର ରଖିଥିଲା ଏଟିଆର ଟିମ । ଆଉ ମଦୁଆ ଏଏସଆଇଙ୍କ ପ୍ରତିଟି କାଣ୍ଡକାରନାମାକୁ ରେକର୍ଡ କରିଥିଲା । ବାସ ଏନେଇ ଖବର ପ୍ରକାଶ କରିବା ପରେ ଏବେ କମିଶନରେଟ ପୁଲିସ ସମ୍ପୃକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଲକ୍ଷ୍ମଣଙ୍କ ଏଭଳି ଆଚରଣର ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ନିଶାଶକ୍ତ ଅବସ୍ଥାରେ ଅଭିଯୋଗକାରୀଙ୍କୁ ମଧ୍ୟ ଯାଇଛାତା ବକନ୍ତି ବୋଲି ଏବେ ଅଭିଯୋଗ ଉଠିଛି ।