ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନ ଗତକାଲିଠାରୁ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୨ଟା ଯାଏଁ ମୁଲତବି କରିଛନ୍ତି । ବିରୋଧୀ ଦଳ ଉଭୟ ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ସ୍ମିତାରାଣୀ ମୁତ୍ୟୃ ଘଟଣାକୁ ନେଇ ଘେରିବାକୁ ଲାଗିଲେ । ଗୃହ ଆରମ୍ଭ ହେବା ମାତ୍ରେ ହାତରେ ବ୍ୟାନର ଧରି ମୁଖ୍ୟ ବିରୋଧୀଦଳ ଅର୍ଥାତ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲି ଆସିଥିଲେ ଓ ହଟଗୋଳ ଆରମ୍ଭ କରିଦେଇଥିଲେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସଠିକ ତଦନ୍ତ କରିବା ସହ ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ବହିଷ୍କାର ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ ଦଳ ।
ଆଜି ଜଳ ସମ୍ପଦ, ଯୋଜନା ଓ ସଂଯୋଜନ, ପର୍ଯ୍ୟଟନ, ସୂଚନା ଓ ଲୋକ ସଂପର୍କ, ବାଣିଜ୍ୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପରିବହନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଓ ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ ବୋଲି ମଧ୍ୟ ସ୍ଥିର କରାଯାଇଥିଲା ହେଲେ ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ଦଳଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ପ୍ରଶ୍ନ ଉତ୍ତର କାଳକୁ ମୁଲତବି କରିଥିଲେ । ରାଜ୍ୟରେ ଅନେକ ସମସ୍ୟାରହିଥିଲେ ମଧ୍ୟ ବିଧାନସଭାରେ ଏନେଇ ଆଲୋଚନା ନକରି ବାରମ୍ବାର ହଟ୍ଟଗୋଳ କରି ଗୃହ ମୁଲତବି କରିବା ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।