କଳାହାଣ୍ଡି(ଏଟିଆର ବ୍ୟୁରୋ); ସତ ଖବର ଦେଖାଇବା କଣ ଭୁଲ ? ସମାଜରେ ବଢ଼ୁଥିବା ଅନ୍ୟାୟ ଅତ୍ୟାଚାରକୁ ସାମ୍ନା କରି ଲୋକ ଲୋଚନକୁ ଆଣିଥିବା ସାମ୍ବାଦିକ ମାନେ ସବୁବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି । ସେ ବାଲେଶ୍ୱର ହେଉ ବା ଭଦ୍ରକ କିମ୍ବା ନୟାଗଡ ସବୁଠି ହେଉଛି ଆକ୍ରମଣ । ଖଣି ମାଫିଆ ହୁଅନ୍ତୁ କିମ୍ବା ରାଜନେତାଙ୍କ ବିରୋଧରେ ଖବର ପ୍ରକାଶ କଲେ ଖାଇବାକୁ ପଡୁଛି ମାଡ । ତେବେ ପୁଣି ଥରେ ଏଭଳି ଏକ ଅଭାବନୀୟ ଘଟଣାର ପୁନରାବୃତ୍ତି ଘଟିଛି ।
ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଉଛୁଳା ନୂଆଗୁଡାଠାରେ ଯୋଗାଣ ବିଭାଗ ପକ୍ଷରୁ ବେଆଇନ ଧାନ ଗଛିତ ରଖିଥିବା ଦୁଷ୍ମନ୍ତ ସାହୁଙ୍କ ଘର ଉପରେ ଚଢ଼ାଉ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସେଠାକୁ ଖବର ସଂଗ୍ରହ କରିବା ପାଇଁ କନକ ନ୍ୟୁଜରେ କାର୍ଯ୍ୟ କରୁଥିବା ପ୍ରତିନିଧି ରାଜେନ୍ଦ୍ର ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମୋବାଇଲରେ ଫଟୋ ଉଠାଉଥିବା ବେଳେ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ନିସ୍ତୁକ ମାଡ ମାରି ଲହୁ ଲୁହାଣ କରିଥିବା ଦେଖିବାକୁ ମିଳିଥିଲା ।
ମାଡ ଖାଇବା ପରେ ଜୟପାଟଣା ଥାନାରେ ଏତଲା ଦେବା ପରେ ପୋଲିସ ଧାନ ମାଫିଆ ଦୁଷ୍ମନ୍ତ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଏହି ମାଡ ମରା ଘଟଣାକୁ ଜିଲ୍ଲାର ବୁଦ୍ଧିଜୀବୀ ଏବଂ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଘୋର ନିନ୍ଦା କରିବା ସହ ଧାନ ମାଫିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । କାରଣ ନିରପେକ୍ଷ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଁଞ୍ଚାଇବା କଣ ଏତେ ବଡ ଭୁଲ ଯେ ସବୁବେଳେ ମାଡ ଖାଇବାକୁ ପଡୁଛି । ଏଣୁ ସାମ୍ବାଦିକଙ୍କ ଉପରେ ମାଡ ମାରୁଥିବା ଲେକଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉ କି ଯେପରି ଆଗାମୀ ଦିନରେ ଏପରି ଭୁଲ କରିବା ପୂର୍ବରୁ ଶହେ ଥର ଭାବିବେ ।