ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଝୁନଞ୍ଜୁନ ବାବା ଗଙ୍ଗାରାମଙ୍କ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୀ କଟକ ରୋଡରେ ଥିବା ତେରାପନ୍ତ ଭବନରେ ଏହି ଉତ୍ସବ ଆୟୋଜିତ ହୋଇଯାଇଛି । ଅପରାହ୍ନ ୪ ଟାରେ ଅଖଣ୍ଡଜ୍ୟୋତି ପ୍ରଜ୍ୱଳିତ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆୟୋଜିତ ହୋଇଥିବା ଭଜନ ସମାରୋହରେ କୋଲକତାର ଲୋକପ୍ରିୟ କଳାକାର ନବୀନ ଯୋଶୀ, ବିଶାଲ ରାଜ ଗଣ୍ଡିଆ ପ୍ରମୁଖ ଯୋଗ ଦେଇଥିଲେ । କୋଲକାତାର ୧୫ ଜଣ କଳାକାର ବାବା ଗଙ୍ଗାରାମଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏକ ନୃତ୍ୟ ନାଟିକା ପରିବେଷଣ କରିଥିଲେ । ଯାହା ଶ୍ରଦ୍ଧାଳୁଙ୍କୁ ବେଶ କିଛିସମୟ ମନ୍ତ୍ରମୁଗ୍ଧ କରି ରଖିଥିଲା ।
ଏହି ଅବସରରେ ତେରାପନ୍ତ ଭବନକୁ ରାଜସ୍ଥାନର ଝୁନଞ୍ଜୁନ ମନ୍ଦିର ପ୍ରତିରୂପ ଭାବେ ସୁସଜ୍ଜିତ କରାଯାଇଥିଲା । ଯେଉଁଥିରେ ବାବା ଗଙ୍ଗାରାମଙ୍କ ସମେତ ଭଗବାନ ଶିବ, ପ୍ରଭୁ ହନୁମାନ, ମା ଦୁର୍ଗା, ମା ଲକ୍ଷ୍ମୀଙ୍କୁ ଆକର୍ଷଣୀୟ ଫୁଲ ତୋରଣରେ ସଜ୍ଜା ଯାଇଥିଲା । ରାଜସ୍ଥାନର ଝୁନଞ୍ଜୁନ ନଗରରେ ଥିବା ବିଷ୍ଣୁ ଅବତାରୀ ବାବା ଗଙ୍ଗାରାମଙ୍କର ପ୍ରସିଦ୍ଧ ଧାମ ଶ୍ରୀ ପଞ୍ଚଦେବ ମନ୍ଦିର ନାମରେ ବିଖ୍ୟାତ । ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜ ନିଜର ମନସ୍କାମନା ନେଇ ଆସିଥାନ୍ତି । ବିଶ୍ୱାସ ରହିଛି ଏଠାରେ ବାବାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ନିକୁଞ୍ଜ ଖେମାନୀ, ସଞ୍ଜୟ ଲୋହିଆ, ପ୍ରବୀଣ ବରେଲିୟା, ନବରତନ ବୋଥ୍ରା ଏବଂ ଶିଶିର ଲୋହିଆ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।