ବାଲେଶ୍ୱର ( ଏଟିଆର ବ୍ୟୁରୋ): ଆଗାମୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ବର୍ତ୍ତମାନ ମୈଦାନରେ ପ୍ରଚାରକୁ ଜୋରଦାର କରିଛନ୍ତି । ଏଥି ପାଇଁ ପ୍ରାୟ ସବୁଦଳର ନେତା ମାନଙ୍କର ନଜର ରହିଛି ବାଲେଶ୍ୱର ଉପରେ । କିଏ ବାଲେଶ୍ୱର ବାସୀଙ୍କ ବିଶ୍ୱାସ ହେବ ତାକୁ ନେଇ ସବୁଆଡେ ଆଲୋଚନା । ଗତ ସପ୍ତାହକ ମଧ୍ୟରେ ସବୂୁ ରାଜନୈତିକ ଦଳର ପ୍ରମୁଖ ନେତା ବାଲେଶ୍ୱର ଗସ୍ତ କରି ସାରିଲେଣି । ସେହିଭଳି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ବାଲେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ପ୍ରାୟ ସବୁ ହେବିୱେଟ ନେତାଙ୍କ ଭାଗ୍ୟ ଏବେ ଇଭିଏମ ମଧ୍ୟରେ ସିଲ ରହିଛି ।
ତେଣୁ ବାଲେଶ୍ୱରରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ସବୁ ଦଳର ପ୍ରମୁ୍ଖ ନେତା ମାନେ ଏବେ ବାଲେଶ୍ୱରରେ ଡେରା ପକାଇଛନ୍ତି । ଗତକାଲି ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଶାସକରୁ ରାଜନୀତିକୁ ଆସିଥିବା ବିଜେପି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଗୋଟିଏ ଦିନରେ ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ପ୍ରଚାର କରିଥିବା ବେଳେ । ଅପରାଜିତା ଷଡଙ୍ଗୀ ଜଳେଶ୍ୱରରେ ରୋଡ ସୋ କରିଥିଲେ । ସେହିଭଳି ଆଜି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି ।
ସେହିଭଳି ନବଜ୍ୟୋତିଙ୍କ ପାଇଁ ପିସିିସି ସଭାପତି ମଧ୍ୟ ସେଠାରେ ପ୍ରଚାର ଜୋରଦାର କରିଛନ୍ତି । ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା ମଧ୍ୟ ପଛରେ ପଡି ନାହାନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଆସି ପ୍ରଚାର କରି ଯାଇଥିବା ବେଳେ ବର୍ତ୍ତମାନ ରବିନ୍ଦ୍ରଙ୍କ ହାତ ମୁଠାକୁ ଅଧିକ ଶକ୍ତ କରିବାକୁ ବିଜେଡିର ବହୁ ଟାଣୁଆ ନେତା ଏବେ ବାଲେଶ୍ୱର ମୁହାଁ । ନିର୍ବାଚନକୁ ଆଉ ମଝିରେ ଦୁଇଦିନ ଥିବାରୁ ଆଉ କିଛି ହେବିୱେଟ ନେତା ବାଲେଶ୍ୱର ଗସ୍ତ କରି ପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।