ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ସକାଳୁ କନ୍ଧମାଳ ଜିଲ୍ଳା ବାଲିଗୁଡା ପୋଇଗୁଡା ଘାଟିରେ ଭାରସାମ୍ୟ ହରାଇ ମିନି ଟ୍ରକ ଦୁର୍ଘଟଣା ଗସ୍ତ ହୋଇଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଆଶ୍ୱାସନା ଦେଇ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏହି ଘଟଣାରେ ଆହାତ ହୋଇଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗ ଯିବ ବୋଲି ପ୍ରକାଶ କରିଛନ୍ତି ନବୀନ । ସେପଟେ ଏହି ଘଟଣାରେ ତଦନ୍ତ କରିବା ପାଇଁ ପରିବହନ ମନ୍ତ୍ରୀ ନୃସିଂହ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ସକାଳୁ ବ୍ରାହ୍ମଣୀ ଗାଁ ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ଥାନୀୟ କଳିଙ୍ଗ,ତାରଜେଙ୍ଗି ଏବଂ ଗଦାପୁର ଅଞ୍ଚଳର ୪୦ ଜଣ ଲୋକ ଯାଉଥିଲେ । ତେବେ ଘାଟି ଉପରେ ଟ୍ରକଟି ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ସ୍ଥାନୀୟ ଲୋକ ପ୍ରଥମେ ଆହାତଙ୍କୁ ଉଦ୍ଧାର କରିଥିଲେ । ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।