କଟକ (ଏଟିଆର ବ୍ୟୁରୋ) ; ଆସନ୍ତା ୨୩ରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ପୂର୍ବରୁ ଦେଖିବାକୁ ମିଳିଛି ବିବାଦ । ବାଲିଯାତ୍ରା ବ୍ୟବସାୟୀ ସଂଘ ଏବଂ ପ୍ରଶାସନ ମଧ୍ୟରେ ଲାଗିଥିବା କଳି ତେଜିବାରେ ଲାଗିଛି । ସଂଘ ପକ୍ଷରୁ ବହୁ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଲାଗି ରହିଛି । ବ୍ୟବସାୟୀ ମାନେ ଷ୍ଟଲ ପକେଇବା ପାଇଁ ଦେଇଥିବା ଟଙ୍କାକୁ ଫେରସ୍ତ ନେବକେୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରଶାସନର କାର୍ଯ୍ୟରେ କ୍ଷୁବ୍ଧ ହୋଇ ରାଗିଛନ୍ତି ବ୍ୟବସାୟୀ ସଂଘ ଏବଂ ଅସନ୍ତୋଷ ଥିବା ପ୍ରକାଶ କରିଛନ୍ତି ସଂଘର ସାଧାରଣ ସମ୍ପାଦକ । ପୂର୍ବ ବର୍ଷ ଜାଗା ବୁକିଂ ପାଇଁ ପ୍ରଶାସନ ଯେତିକି ଟଙ୍କା ନେଇଥିଲେ ଏବର୍ଷ ତାହା ଅଧିକ ହୋଇଥିବାରୁ ବିବାଦ ଉପୁଜିଥିଲା । ମେଳା ଆଉ ୬ ଦିନ ବାକିଥିବା ବେଳେ ଏ ପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ଆବଣ୍ଟନ ପକ୍ରିୟା ଆରମ୍ଭ ହୋଇପାରିନାହିଁ ।
ସାଧବ ପୁଅମାନେ ବିଦେଶକୁ ବଣିଜ କରିବା ପାଇଁ ଆଗରୁ ବୋଇତରେ ଯାଉଥିଲେ । ଏହି କଥାକୁ ମନେ ରଖିବା ପାଇଁ ଏହି ଐତିହାସିକ ବାଲିଯାତ୍ରା ପାଳନ ହେଉଛି । ଏଣୁ କଟକରେ ମହାନଦୀ ତଟରେ ଆୟୋଜିତ ହେଉଥିବା ବାଲିଯାତ୍ରାରେ ରାଜ୍ୟର କୋଣ ଅନୁକୋଣରୁ ବହୁ ବେପାରୀ ଏବଂ ରାଜ୍ୟ ବାହାରୁ ମଧ୍ୟ ଷ୍ଟଲ ଆସି ପଢ଼ିଥାଏ । ହଜାର ହଜାର ଷ୍ଟଲ ଲାଗିଥିବାରୁ ଲୋକଙ୍କ ସୁଅ ଛୁଟୁଥାଏ ଏଠାକୁ । ତେବେ ଏବେ ଏହି ବିବାଦ ତୁଟିନଥିବା ବେଳେ ଚିନ୍ତାରେ ବ୍ୟବସାୟୀ ।