ଜଗତସିଂହପୁର ( ଏଟିଆର ବ୍ୟୁରୋ): ଗତକାଲି ଜଗତସିଂହପୁର ଜିଲ୍ଲା ବାଲିକୁଦାରେ ଏକ ସ୍କୁଲ ଛାତରେ ଜଣେ ଅଜଣା ଯୁବକ ପୋଡି ହେବା ଘଟଣା ଆଜି ଏକ ନୂଆ ମୋଡ ନେଇଛି । ମୃତକ ଜଣଙ୍କ ନୟାଗଡ ଜିଲ୍ଲା ନନ୍ଦପୁର ଥାନା କାଞ୍ଚନପୁର ଗ୍ରାମର କୃଷ୍ଣ ଚମ୍ପତ୍ତି ରାୟ ବୋଲି ଜଣା ପଡିଥିଲା । ତେବେ କୃଷ୍ଣଙ୍କ ପତ୍ନୀ ଦେଇଥିବା ଏକ ବୟାନ ଏବେ ଘଟଣାକୁ ଦେଇଛି ନୂଆ ମୋଡ । କୃଷ୍ଣଙ୍କ ପତ୍ନୀ କହିଛନ୍ତି ମୋ ସ୍ୱାମୀ “ଅହମ୍ମଦାବାଦ ଯାଉଛି ବୋଲି କହି ଗତ ଶନିବାର ଘରୁ ବାହାରି ଯାଇଥିଲେ। ଏହାପରେ ଆଉ ତାଙ୍କ ଫୋନ୍ ଲାଗି ନ ଥିଲା। ତା’ପରେ ଗଣମାଧ୍ୟମରୁ ତାଙ୍କ ମୃତ୍ୟୁ ଖବର ମିଳିଲା। ମୋ ସ୍ୱାମୀକୁ ସେ ମାରି ଦେଇଛି।
ଅନ୍ୟପଟେ ମୃତ ଯୁବକ ମରିଥିବା ସ୍ଥାନରେ ରକ୍ତରେ ଲେଖା ହୋଇଥିଲା ମଧୁ । ନିକଟରେ କିଛି ମଦ ବୋତଲ ଓ ଗ୍ଲାସ ମଧ୍ୟ ପଡିଥିଲା । ତେବେ ପାରିପାଶ୍ୱିକ ପରିସ୍ଥିତିରୁ ଯାହା ଅନୁମାନ କରାଯାଉଛି ଯୁବକ ଜଣଙ୍କୁ କେହି ଡାକି ପାଖରେ ବସି ମଦ ପିଆଇ ଗୋଡ ହାତ ବାନ୍ଧି ନିଆଁ ଲଗାଇ ଦେଇଥିଲା ।
ତେବେ ଏନେଇ ପୋଲିସ ପାଖରୁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପୋଲିସର ସୂଚନା ଅନୁସାରେ କୃଷ୍ଣ ଅହମ୍ମଦାବାଦରେ ଏକ କମ୍ପାନୀରେ କମ୍ପ୍ୟୁଟର ଆସିଣ୍ଟାଣ୍ଟ ଭାବେ କାମ କରୁଥିଲେ। ସେଠାରେ ମଧୁ ନାମ୍ନୀ ମହିଳାଙ୍କ ସହ ତାଙ୍କର ଚିହ୍ନାଜଣା ଥିଲା।