ଭୁବନେଶ୍ୱର,(ଏଟିଆରବ୍ୟୁରୋ): ୱେବସାଇଟ୍ ଲିଷ୍ଟରେ ୧୭ ନମ୍ବର ଓ ମୁଖ୍ୟାଳୟରୁ ୩୫କିମି ଦୂରରେ ଥିବା କମିଶନରେଟ ପୁଲିସର ବାଲିପାଟଣା ଥାନାକୁ ନେଇ ଏବେ ଚର୍ଚ୍ଚା । ତେବେ ଚର୍ଚ୍ଚା ଭଲ ପାଇଁ ନୁହେଁ ବରଂ ମନମାନୀକୁ ନେଇ । ଲୋକଙ୍କ ସୁରକ୍ଷା ପାଇଁ ଥିବା ବାଲିପାଟଣା ଥାନାର କେତେକ କର୍ମଚାରୀ ଏବେ ନିଜ ମନମାନୀ ଚଳାଇଛନ୍ତି । ଲୋକଙ୍କୁ ଖାସ କରି କେତେକ ବ୍ୟବସାୟୀଙ୍କୁ ପୁଲିସିଆ ଖାଦି ଦେଖାଉଛନ୍ତି । ଅଭିଯୋଗ ହୋଇଛି ବରିଷ୍ଠ ଅଧିକାରୀଙ୍କ ଏ ଥାନା ପ୍ରତି ଆଦୌ ନିଘା ରହୁନଥିବାରୁ ଥାନା କର୍ମଚାରୀଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଘଟଣାର ବାସ୍ତବତା କେତେ ତାହା ପରଖିବାକୁ ଗୋଟାଏ ଦିନ ଆମେ ପୂରା ବାଲିପାଟଣା ଅଞ୍ଚଳ ଖେଦିଥିଲୁ । ଜାଣିବାକୁ ଚାହିଁଥିଲୁ କାହିଁକି ବାଲିପାଟଣା ପୁଲିସ ଉପରେ ସାଧାରଣ ଲୋକଙ୍କ ଏତେ ଅସନ୍ତୋଷ? କ’ଣ ରହୁଛି ବାସ୍ତବିକ ସମସ୍ୟା । ହେଲେ ଯାହା ଲୋକଙ୍କ ଅଭିଯୋଗ ଥିଲା ତାହା ବାସ୍ତବିକ ଚିନ୍ତାର ବିଷୟ ।
ପାଟ୍ରୋଲିଂ କାମକୁ ନୁହେଁ: ଅଞ୍ଚଳରେ ଶାନ୍ତିସୃଙ୍ଖଳା ବଜାଇବା ରଖିବା ଲାଗି କମିଶନରେଟ ପୁଲିସ ଆରମ୍ଭ କରିଥିଲା ପାଟ୍ରୋଲିଂ ବ୍ୟବସ୍ଥା । ହେଲେ ବାଲିପାଟଣା ଅଞ୍ଚଳରେ ପାଟ୍ରୋଲିଂ ଠିକ୍ଠାକ ହେଉନଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ନିର୍ଦ୍ଧିଷ୍ଟ କେତେକ ସ୍ଥାନକୁ ଛାଡିଦେଲେ ଭ୍ୟାନ ଆଉ କୁଆଡେ ବି ଯାଉନାହିଁ । ରେକର୍ଡ କହୁଛି ପାଖାପାଖି ୩୦ ହଜାରରୁ ଅଧିକ ଲୋକ ଏଠାରେ ରହୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚୋରଙ୍କ ଉତ୍ପାତ ବଢ଼ୁଥିବା ବେଳେ ପାଟ୍ରୋଲିଂ ଠିକ ସେ ନହେବା ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି ।
ରାତି ୧୧ହେଲେ କାମ ସରିଲା: ରାତି ୧୧ହେଲେ ଥାନା ଯେମିତି ଶୂନଶାନ ହୋଇଯାଉଛି । ଅଭିଯୋଗ କାରୀ ଯଦି ଏହି ସମୟରେ ପହଞ୍ଚୁଛି ତେବେ ତାକୁ ସକାଳେ ଆସିବାକୁ ନାଲି ଆଖି ଦେଖାଇ ପୁଲିସ କହୁଥିବା ଲୋକେ ପ୍ରକାଶ କରିଛନ୍ତି । ୨୪ଘଣ୍ଟା ଆର୍ଲଟ ଥିବା କମିଶନରେଟ ପୁଲିସ ଏଠି କିନ୍ତୁ ସମ୍ପୂର୍ଣ୍ଣ ଢ଼ିଲା । ମୁଖ୍ୟାଳୟରୁ ଢ଼େର ଅଧିକ ଦୂରରେ ରହୁଥିବା ହେତୁ ବଡ଼ବାବୁ ମାନେ ବି ଏହି ଥାନାରେ ପାଦ ଥାପିବାକୁ ଅମଙ୍ଗ । ଯାହା ଥାନା କର୍ମଚାରୀଙ୍କ ପାଇଁ କଚେପୁଅ ବାର ସଦୃଶ୍ୟ । ଖଟ ପକାଅ ତା’ ଉପରେ ଘୁଙ୍ଗୁଡି ମାର ।
କମ୍ପରମାଇଜ ଅଧିକ: ଜଣେ ଏସଆଇଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଖାସ କରି ଏହି ଏସଆଇ ଜଣଙ୍କ ଜାଗାବାଡି ଘଟଣାରେ ଅଧିକ ମୁଣ୍ଡ ପୂରାଉଛନ୍ତି । ଯେତେବଡ଼ ଘଟଣା ହେଉ ନା କାହିଁ କି’ କେସ କରିବା ଅପେକ୍ଷା ମାମଲାର ଆପୋଷ ସମାଧାନ କରି ବହେ ମାଲ କମାଉଥିବା ଲୋକେ ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏସବୁ ଡିଲ ଥାନା ବାହାରେ ହେଉଥିବା ଜଣେ ବ୍ୟକ୍ତି ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଏସଆଇ ଜଣଙ୍କ ଆଇଆଇସିଙ୍କୁ ହାତ କରି ଏଭଳି ଉତ୍ପାତ ଚଳାଇଛନ୍ତି । ନିକଟରେ ଥାନା ପାଖରେ ଥିବା ହାଟରୁ ଏହି ଏସଆଇ ମହାଶୟ ୩୦ଟଙ୍କାର କାକୁଡି କିଣି ପୁଲିସିଆ ଢ଼ାଞ୍ଚା ଦେଖାଇଥିଲେ । ବ୍ୟସାୟୀଙ୍କୁ ଟଙ୍କା ଦେଇନଥିଲେ ।
ଢ଼ିଲା ମାରୁଛନ୍ତି ଆଇଆଇସି: ସନ୍ଧ୍ୟା ହେଲେ ପୂରା ଅଞ୍ଚଳରେ ମଦୁଆ ଓ ଅସାମାଜିକଙ୍କ ଆଡ୍ଡା ଜମୁଛି । ବିଲ ଭିତରେ ଥିବା ମଦ କାଉଣ୍ଟର ଆଗରେ ମା’ଭଉଣୀ ଏମିତି କି’ ଚଉଦପୁରୁଷ ଉଡୁଛି । ଏ କଥା ନୁହେଁ ଯେ, ପୁଲିସ ଏ ସମ୍ପର୍କରେ କିଛି ଜାଣିପାରୁନି । ବରଂ ଖୋଦ ଥାନା ଅଧିକାରୀଙ୍କ ଢ଼ିଲାପଣ ଯୋଗୁ ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି ।
ବରିଷ୍ଠ ଅଧିକାରୀଙ୍କୁ ନଜର ଦେବାକୁ ଅନୁରୋଧ: କିଛିମାସ ହେବ ବାଲିପାଟଣା ଥାନାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନମୋଟିଆ ହୋଇଯାଇଛନ୍ତି ଥାନା କର୍ମଚାରୀ । ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକମାନେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଏକ ଜାଗାବାଡି ଘଟଣାରେ ଜଣେ ବୃଦ୍ଧଙ୍କୁ ବାଲିପାଟଣା ଥାନା ପୁଲିସ କେମିତି ଉତ୍ତମ ବ୍ୟବହାର ଦେଖାଇଛି ସେ ସମ୍ପର୍କୀତ ଏକ ଭିଡ଼ିଓ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ ପାଇବ ।